ସ୍ତ୍ରୀକୁ ୬ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ସ୍ବାମୀ

ସୋରଡ଼ା: ଓଡ଼ିଶାରେ ଶ୍ରଦ୍ଧା ୱାକର କାଣ୍ଡ । ଗଂଜାମ ସୋରଡା ଥାନା ଭଗବାନପୁରରେ ଚାଞ୍ଚଲ୍ୟ । ନବବିବାହିତା ସ୍ତ୍ରୀକୁ ହତ୍ୟା ପରେ ୬ ଖଣ୍ଡ କରି ନଦୀକୁ ଫିଙ୍ଗିଦେଇଛି ଅଭିଯୁକ୍ତ ସ୍ବାମୀ । ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଘରୋଇ କଳିରୁ ନୃଶଂସ ସ୍ୱାମୀ ନାରାୟଣ ମୁଳି ଅତି ନିର୍ମମ ଭାବେ ସ୍ତ୍ରୀ ବୁଲି ମୁଳିକୁ ବେଲ୍ଟ ଯୋଗେ ତଣ୍ଟି ଚିପି ହତ୍ୟା କରିଥିଲା ।

ଏହାପରେ କାନ୍ଧରେ ଋଷିକୁଲ୍ୟା ନଦୀ ପଠା ଯାଏଁ ବୋହିନେଇଥିଲା । ହୁଲୁହୁଲା ଗଣ୍ଡ ନିକଟରେ ମୃତ ସ୍ତ୍ରୀର ଶରୀରକୁ ରଖି କଟୁରିରେ ଛଅ ଖଣ୍ଡ କରି ଗୋଟି ଗୋଟି କରି ନଦୀରେ ଭସାଇ ଦେଇଥିଲା । ଖବର ପାଇ ପୋଲିସ ଛାନବିନ ଜାରି ରଖିଛି । ଏପର୍ଯ୍ୟନ୍ତ ସୁଦ୍ଧା ମୃତକଙ୍କ ଶରୀରର କୌଣସି ଖଣ୍ଡବିଖଣ୍ଡିତ ଅଂଶ ପାଇନାହିଁ ପୋଲିସ । ଏବେ ବି ଅଗ୍ନିଶମ ବାହିନୀ ଓ ପୋଲିସ ମୃତ ବୁଲିଙ୍କର ଶରୀରର ଅଂଶକୁ ଋଷିକୁଲ୍ୟାର ପ୍ରଖର ସ୍ରୋତରୁ ଖୋଜି ବାହାର କରିବାକୁ ଉଦ୍ୟମ ଜାରି ରଖିଛି  । ତିନି ମାସ ତଳେ ନାରାୟଣଙ୍କ ସହ ମୃତ ବୁଲିଙ୍କ ସୋରଡା ଶିବ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବିବାହ ହୋଇଥିଲା ।

ପରେ ଉଭୟ ବେଶ ହସ ଖୁସିରେ ଚଳି ଆସୁଥିଲେ । ଗତ କିଛି ଦିନ ହେବ ଉଭୟ ନିଜ ଗାଁ ଭଗବାନପୁରକୁ ଚାଲି ଆସିଥିଲେ । କିଛି ଟଙ୍କା ପାଇଁ ବୁଲି ପିନ୍ଧିଥିବା ଏକ ସୁନା ଚେନକୁ ନାରାୟଣ ବନ୍ଧା ପକାଇବାକୁ ମାଗିଥିଲା । କିନ୍ତୁ ମୁଳି ଏଥିରେ ରାଜି ହୋଇନଥିଲା । ଏଥିରୁ ଉତକ୍ଷିପ୍ତ ହୋଇ ନାରାୟଣ ମୁଳିକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଓ ସାଇଣ୍ଟିଫିକ ଟିମ ବର୍ତ୍ତମାନ  ନାରାୟଣକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି । ପୋଲିସ ହତ୍ୟାରେ ବ୍ୟବହାର କରାଯାଇଥିବା କଟୁରୀ ଓ ଅନ୍ୟ କିଛି ଜିନିଷକୁ ଉଦ୍ଧାର କରି ଜବତ କରିଛି । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।