ଆତ୍ମହତ୍ୟା କଲେ ପତ୍ନୀ, ବଞ୍ଚାଇବା ବଦଳରେ ଭିଡିଓ କରି ପରିବାରକୁ ପଠାଇଲେ ପତି

କାନପୁର: ଉତ୍ତର ପ୍ରଦେଶରୁ ଆସିଛି ଏକ ଛାତିଥରା ଦୃଶ୍ୟ  । ସ୍ବାମୀଙ୍କ ସାମ୍ନାରେ ଝୁଲି ପଡିଲେ ସ୍ତ୍ରୀ  । ଯାହାର ଭିଡିଓ ଖୋଦ୍‌ ସ୍ବାମୀ କରୁଥିବା ଜଣାପଡିଛି  । ଭିଡିଓ ପ୍ରସ୍ତୁତ କରି ସ୍ତ୍ରୀଙ୍କ ପରିବାରକୁ ବି ପଠାଇ ଥିଲେ ସ୍ବାମୀ  । ସ୍ତ୍ରୀ ଆତ୍ମହତ୍ୟା କରିବା ସମୟରେ ସ୍ବାମୀ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ମରଣ ମୁହଁକୁ ଠେଲିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି  ।

ଭିଡିଓ ଦେଖିବା ପରେ ଝିଅ ଘରେ ତୁରନ୍ତ ପହଞ୍ଚିଥିଲେ ପରିବାର ଲୋକ  । ସେଠାରେ ମହିଳା ଜଣଙ୍କ ବେହୋସ ଅବସ୍ଥାରେ ପଡିଥିଲେ  । ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ ପରିବାର  । ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ  । ପୋଲିସର ପଚରାଉଚୁରା ସମୟରେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ ଅଭିଯୁକ୍ତ ସ୍ବାମୀ  ।

ସେ କହିଥିଲେ ଦୁହିଁଙ୍କ ମଧ୍ୟରେ ଅକ୍ଟୋବର ୨୫ରେ ଜୋରଦାର ପାଟିତୁଣ୍ଡ ହୋଇଥିଲା  । ଏହାପରେ ପତ୍ନୀ ଆତ୍ମହତ୍ୟା ଧମକ ଦେଇ ଫ୍ୟାନରେ ଦଉଡି ଦେବାର ଅଭିନୟ କରିଥିଲେ  । ଯାହାର ଭିଡିଓ ସ୍ବାମୀ ପ୍ରସ୍ତୁତ କରିଥିଲେ  । କିଛି ସମୟରେ ପତ୍ନୀ ସେଭଳି କିଛି ନକରି ଚେୟାରରୁ ଓହ୍ଲାଇ ଆସିଥିଲେ  । ଝିଅର ଏଭଳି କାରନାମା ପରିବାରକୁ ଦେଖାଇବା ପାଇଁ ସେ ଭିଡିଓ କରିଥିବା କହିଛନ୍ତି ସ୍ବାମୀ  । ଏହାର କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ପୁଣିଥରେ ଝଗଡା ହୋଇଥିଲା  । ଏଥର କିନ୍ତୁ ପତ୍ନୀ ସତରେ ଆତ୍ମହତ୍ୟା କରିବେ ବୋଲି ଭାବିନଥିଲେ ସ୍ବାମୀ  ।

ଗତ ୨୦୧୭ରେ ବିହାର ନିବାସୀ ସଞ୍ଜୀବ ଗୁପ୍ତାଙ୍କୁ ବିବାହ କରିଥିଲେ ଉତ୍ତର ପ୍ରଦେଶର ଶୋଭିତା  । କିନ୍ତୁ ବିବାହ ପରେ ଅଧିକ ଯୌତୁକ ଦାବି କରି ଶୋଭିତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ପରିବାର ଅଭିଯୋଗ କରିଛନ୍ତି  ।