ପରକୀୟା ପ୍ରୀତି ଅଭିଯୋଗ: ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

ଅନୁଗୁଳ: ପରକୀୟା ପ୍ରୀତିକୁ ନେଇ ପାରିବାରିକ କଳହ । ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଏମିତି ଅଭିଯୋଗ ଆସିଛି ଅନୁଗୁଳ ଜିଲ୍ଲା ନୂଆହତା ପଞ୍ଚାୟତ ପାଟଣାସାହିରୁ । ମୃତ ମହିଳା ହେଲେ ପାୟଲ ସାମଲ । ଅଭିଯୁକ୍ତ ସ୍ଵାମୀ ହେଲେ କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ସୁବ୍ରତ ସାମଲ ।
ଅଭିଯୋଗ ଅନୁସାରେ, ୮ ବର୍ଷ ପୂର୍ବେ ସୁବ୍ରତ ଏବଂ ପାୟଲ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୫ ବର୍ଷର ଏକ ଝିଅ ରହିଛି । ସୁବ୍ରତ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାରେ ଫିଟର ଭାବେ କରୁଛନ୍ତି । ବର୍ଷେ ହେବ ନୂଆହତା ପାଟଣାସାହିରେ ସ୍ତ୍ରୀ ଓ ଝିଅକୁ ନେଇ ଭଡାରେ ରହୁଥିଲେ ।
ପାୟଲ ଅନ୍ୟ କାହା ସହ ଫୋନରେ କଥା ହେଉଥିବା ନେଇ ସୁବ୍ରତ ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛିଦିନ ହେବ ଝଗଡ଼ା ଲାଗି ରହିଥିଲା । ଗତକାଲି ଏହି କାରଣରୁ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ତେବେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା । ଏହି ସମୟରେ ସୁବ୍ରତ, ପାୟଲଙ୍କୁ ମାଡ଼ ମାରିଥିଲେ । ଫଳରେ ପାୟଲ ଅଚେତ ହୋଇ ପଡ଼ିଯାଇଥିଲେ । ତେବେ ପାୟଲ ଆଉ ନ ଉଠିବାରୁ ସୁବ୍ରତ ଘର ମାଲିକଙ୍କୁ ସୂଚନା ଦେଇଥିଲେ । ଏହାପରେ ଘର ମାଲିକ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାୟଲଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ସୁବ୍ରତଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।