ଗାମୁଛା ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ଫାଉଡ଼ାରେ ମାରି ହତ୍ୟା କଲା ସ୍ୱାମୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଗାଧୋଇ ସାରିବା ପରେ ସ୍ତ୍ରୀର ଗାମୁଛା ଦେବାରେ ବିଳମ୍ୱ ହେବାରୁ ଫାଉଡ଼ା ମାରି ହତ୍ୟା କଲା ସ୍ୱାମୀ । ଘଟଣାଟି କିରନାପୁର ଥାନା ଅଧୀନସ୍ଥ ହୀରାପୁର ଗାଁରେ ବୋଲି ପୋଲିସ ସୂଚନା ଦେଇଛି ।

କିରନାପୁର ପୋଲିସ ଥାନା ନିରୀକ୍ଷକ ରାଜେନ୍ଦ୍ର କୁମାର ବାରୀୟାଙ୍କ କହିବାନୁସାରେ, ‘ଗତ ଶନିବାର ସେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଅଭିଯୁକ୍ତର ନାଁ ରାଜକୁମାର (୫୦) ଓ ସେ ଜଣେ ବନବିଭାଗ କର୍ମଚାରୀ । ମୃତ ମହିଳା ଜଣକ ହେଉଛନ୍ତି ୪୫ ବର୍ଷୀୟ ପୁଷ୍ପା ବାଇ, ଯେ କି ଜଣେ ଗୃହିଣୀ ।’

ପୋଲିସଙ୍କ କହିବାନୁସାରେ ରାଜକୁମାର ଗାଧୋଇ ସାରିବା ପରେ ସ୍ତ୍ରୀ ପୁଷ୍ପାକୁ ଗାମୁଛା ମାଗିଥିଲେ । ସେତେବେଳେ ପୁଷ୍ପା ରୋଷେଇ ଘରେ ବାସନ ମାଜୁଥିଲେ । ଏଥିପାଇଁ ସେ ରାଜକୁମାରଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ । ଗାମୁଛା ଦେବାରେ ବିଳମ୍ୱ ହେବାରୁ ରାଜକୁମାର ଉତ୍ତ୍ୟକ୍ତ ହୋଇ ପୁଷ୍ପାଙ୍କୁ ଫାଉଡ଼ା ସାହାଯ୍ୟରେ ହତ୍ୟା କରିଥିଲେ । ଏହି ସମୟରେ ତାଙ୍କ ଝିଅ ଅଟକାଇବାକୁ ଚେଷ୍ଟା କରିବାରୁ ରାଜକୁମାର ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଶନିବାର ଦିନ ପୁଷ୍ପାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ପୋଲିସ ରାଜକୁମାର ବିରୋଧରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ତୁରନ୍ତ ଗିରଫ କରିଥିଲା  ।

Leave a Reply