ସ୍ତ୍ରୀ ବ୍ୟୁଟି ପାର୍ଲରରେ ଆଇବ୍ରୋ ବନାଇବାରୁ ଫୋନରେ ତଲାକ ଦେଇ ଦେଲା ସ୍ବାମୀ

କାନପୁର: ଉତ୍ତର ପ୍ରଦେଶର କାନପୁର ପୁଣି ଥରେ ତିନି ତଲାକ ମାମଲାକୁ ତାଜା କରି ଦେଇଛି । ଜଣେ ମହିଳା ବ୍ୟୁଟି ପାର୍ଲର ଯାଇ ଆଇବ୍ରୋ ବନାଇବାରୁ ଫୋନରେ ହିଁ ତିନ୍ ତଲାକ୍ (ଛାଡ଼ପତ୍ର) ଦେଇ ଦେଲେ ସ୍ବାମୀ । ଶ୍ବଶୁର ଘରୁ ନିରାଶ ହେବା ପରେ ମହିଳା ଜଣଙ୍କ ସ୍ବାମୀ ଏବଂ ଶ୍ବଶୁର ଘରର ୫ ଜଣ ଲୋକଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଘଟଣା କାନପୁର କୁଲି ବଜାର ଅଞ୍ଚଳର । ୨୦୨୨ରେ ଅଞ୍ଚଳର ଲାଲି ଗୁଲସବାଙ୍କ ପ୍ରୟାଗରାଜ ବାସିନ୍ଦା ସଲିମଙ୍କ ସହ ବିବାହ ହୋଇଥିଲା । ସଲିମ ସାଉଦୀ ଆରବରେ ଚାକିରି କରନ୍ତି । ଗୁଲସବାଙ୍କ ଅଭିଯୋଗ ଅନୁସାରେ ଅଗଷ୍ଟ ୩୦ରେ ସାଉଦୀ ଆରବ ଚାଲିଯିବା ପରେ ଶ୍ବଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲେ । କିଛିଦିନ ହେବ ସେ ବାପଘରକୁ ପଳାଇ ଆସିଥିଲେ । ଏଠାରେ ଭିଡିଓ କଲ୍ ଜରିଆରେ ସଲିମ ସହ କଥା ହେଉଥିଲେ । ଅକ୍ଟୋବର ୪ରେ ସଲିମ ଭିଡିଓ କଲ କରିଥିବା ବେଳେ ଆଇବ୍ରୋ ବନାଇଛ କି ବୋଲି ପଚାରିଥିଲା । ଗୁଲସବା ହଁ କହିବା ପରେ ସଲିମ ରାଗି ଯାଇ ଫୋନ କାଟି ଦେଇଥିଲେ । ଏହାର କିଛିଦିନ ପରେ ଗୁଲସବା ଯେବେ ଫୋନରେ କଥା ହୋଇଥିଲେ, ସେହି କଥାକୁ ନେଇ ସଲିମ ତାଙ୍କ ସହ ଝଗଡ଼ଶ କରିଥିଲେ ଓ ଫୋନରେ ହିଁ ତିନ୍ ତଲାକ୍ ଦେଇ ଦେଇଥିଲେ । ଏହାପରେ ସଲିମ ଫୋନ କାଟି ଦେିଥିଲେ ଓ ଯେତେ ଫୋନ କଲେ ବି ଫୋନ ଉଠାଇ ନଥିଲେ । ଏନେଇ ଶ୍ବଶୁର ଘର ଲୋକଙ୍କୁ କହିବା ପରେ ସେମାନେ ସମସ୍ୟାର ସମାଧାନ ନକରି ସଲିମଙ୍କ ପକ୍ଷ ନେିଥିଲେ ଓ ସେ ଯାହା କରିଛି ଠିକ୍ କରିଛି କହିଥିଲେ ।

ଶ୍ବଶୁର ଘରୁ ନିରାଶ ହେବା ପରେ ଗୁଲସବା ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ଏତଲା ଆଧାରରେ ପୋଲିସ ସ୍ବାମୀ ସଲିମ ଓ ପରିବାରର ୫ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।