ଗରିବଙ୍କ ଟଙ୍କା ଖାଉଥିଲେ, ବିଜେଡିରୁ ନିଲମ୍ବିତ ହେଲେ
କଟକ: ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଫ୍ଲାଟ ହଡପ କରି ବିକ୍ରି କରିବା ପଡିଲା ମହଙ୍ଗା । ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି । ଉଭୟଙ୍କୁ ବରିଷ୍କାର କରିବାକୁ ବିଧାୟକ ସୌଭିକ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖିଥିଲେ । ପ୍ରମାଣ ଓ ବିଧାୟକଙ୍କ ଚିଠିକୁ ଆଧାର କରି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ ।
କଟକ ଅନ୍ଦରପୁର ଠାରେ ଥିବା ଆପାର୍ଟମେଣ୍ଟରେ 192 ଟି ଫ୍ଲାଟ ରହିଥିବାବେଳେ ମହାନଗର ନିଗମ ପକ୍ଷରୁ ମାତ୍ର ୬୬ ଜଣ ହିତାଧିକାରୀଙ୍କୁ ମିଳିଥିଲା ଘର । ବାକି ଘର ଗୁଡିକୁ ବେଆଇନ ଭାବେ ଜବରଦଖଲକୁ ନେଇ 25 ରୁ ଅଧିକ ପରିବାରକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିଲେ ସିଏମସି ୫୩ ନମ୍ବର ଓ୍ବାର୍ଡ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣ । ଅଭିଯୋଗ ପରେ ତାଙ୍କୁ ଗିରଫ କରିଥିଲା ମଧୂପଟଣା ପୋଲିସ ।
ସେପଟେ ରାଜା ପାଖରୁ 14 ଲକ୍ଷ 90 ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ନାଁରେ 3 ଟି କେସ୍ ରୁଜୁ ହୋଇଛି । ସେପଟେ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଭୟ ନକରି ଅଭିଯୋଗ କରିବାକୁ ପୋଲିସ୍ ପରାମର୍ଶ ଦେଇଛି ।