ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ହଙ୍ଗେରୀରେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ପ୍ରଧାନମନ୍ତ୍ରୀ

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ କାରଣ ଦର୍ଶାଇ ହଙ୍ଗେରୀରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ଦେଶରେ ଆର୍ଥିକ ସଂକଟ ତୀବ୍ର ହୋଇଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ । କୋଭିଡ କାରଣରୁ ଦେଶରେ ଜାରି ରହିଥିବା ଜରୁରୀକାଳୀନ ପରିସ୍ଥିତି ଶେଷ ହୋଇଥିବାବେଳେ, ପୁଣି ଥରେ ଏହି ପରିସ୍ଥିତି ଘୋଷଣା କରାଯାଇଛି । ଦେଶର ଆର୍ଥିକ ନିରାପତ୍ତାରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ସେପଟେ ୟୁକ୍ରେନ ଲୁହାନସ୍କରେ ଜାରି ରହିଛି ଜୋରଦାର ଆକ୍ରମଣ । ଏହି ସହରର ଅବସ୍ଥା ପ୍ରତି ଘଣ୍ଟାରେ ବଦଳୁଛି ଏବଂ ସହରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆଗଲାଣି ବୋଲି କହିଛନ୍ତି ଗଭର୍ଣ୍ଣର ସର୍ଗେଇ ଗିଦାଇ । ଋଷ ସୈନ୍ୟବାହିନୀ ପ୍ରତିଟି ସ୍ଥାନରେ ଗୋଳାବର୍ଷଣ କରିବା ସହ ଏହି ଅଞ୍ଚଳର ପ୍ରମୁଖ ଶିଳ୍ପଭିତ୍ତିକ ସହର ସେଭେରୋ ଡୋନେସ୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଲାଗି ଅଭିଯାନ ଚଳାଇଛନ୍ତି । ସହର ଉପରେ ରକେଟ, ଟ୍ୟାଙ୍କ ଆଦି ଜରିଆରେ ଆକ୍ରମଣ ଚାଲିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପୂର୍ବ ୟୁକ୍ରେନରେ ଋଷ ସୈନ୍ୟ ଆଗକୁ ମାଡ଼ି ଚାଲିଥିବା ବେଳେ ଧ୍ୱଂସଲୀଳା ଘଟାଇ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଋଷ ଆକ୍ରମଣରେ ହଜାର ହଜାର ୟୁକ୍ରେନୀୟ ବାସିନ୍ଦା ବେଘର ହୋଇଛନ୍ତି । ଅନେକ ଲୋକ ନିଖୋଜ ହେବାରେ ଲାଗିଛନ୍ତି । ତେବେ ସହଯୋଗୀ ରାଷ୍ଟ୍ରଙ୍କଠାରୁ ସହାୟତା ଲାଭ କରି ଋଷ ବିରୋଧରେ ଲଢେଇ ଜାରି ରହିବ ବୋଲି କହିଛନ୍ତି ଜେଲେନସ୍କି ।