ସୁଭଦ୍ରା ଯୋଜନା: ଯନ୍ତ୍ରଣାକୁ ବଳିଗଲା ହତାଶା, ବ୍ୟାଙ୍କ ଖାତାକୁ ଆସିଲାନି ଟଙ୍କା

1 min read

କଳାହାଣ୍ଡି:  ହାତରୁ ଟଙ୍କା ଗଲା, ହେଲେ ଆସିଲାନି ସୁଭଦ୍ରା ଟଙ୍କା । କଳାହାଣ୍ଡିର ଉପାନ୍ତ ଅଞ୍ଚଳ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଯେମିତି ଯନ୍ତ୍ରଣା ଦେଇଛି, ଏବେ ସେମାନଙ୍କ ଖାତାକୁ ଟଙ୍କା ନଆସିବା ତାଠୁ ଅଧିକ ହତାଶ କରିଦେଇଛି । ଜିଲ୍ଲାର ଶହ ଶହ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଚନ୍ତି । ଆବେଦନ କଲେ ବି ଟଙ୍କା ମିଳିନି । ଜଙ୍ଗଳ ପାଦ ଦେଶରେ ଥିବା ଗାଁର ମହିଳା ଟଙ୍କା ଖର୍ଚ୍ଚ କରି ସହର ଯାଇ ଜନସେବା କେନ୍ଦ୍ରରେ ଆଧାର ସଂଶୋଧନ କରାଇଲେ । ଆଶା ଥିଲା ସୁଭଦ୍ରା ଟଙ୍କା ବ୍ଯାଙ୍କ ଖାତାକୁ ଆସିବ । ହେଲେ, ମହିଳାଙ୍କ ଏହି ଆଶା ଆଶାରେ ରହିଯାଇଛି ।

ମୋହନ ତଥା ଡବଲ ଇଞ୍ଜିନ ସରକାରରେ ମହିଳାଙ୍କ ପାଇଁ ହୋଇଥିବା ଯୋଜନା ଏବେ ଉପାନ୍ତବାସୀଙ୍କ ପାଇଁ ସାତ ସପନ । ଆବେଦନ କରିଥିଲେ ବି ମିଳିନି ସୁଭଦ୍ରା ଟଙ୍କା । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ଶହ ଶହ ମହିଳାଙ୍କ ଖାତାକୁ ଏପର୍ଯ୍ୟନ୍ତ ଆସିନି ସୁଭଦ୍ରା ଟଙ୍କା । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ହତାଶ ଭାବ ଦେଖା ଦେଇଛି । ଜଙ୍ଗଲ ପାଦ ଦେଶରେ ରହିଥିବା ଗୋତୋ ମୁଣ୍ଡା, କନକପୁର, ବିରିମାଣପୁର, ଧୋବେନ୍ ଚଞ୍ଚରା, ଦାବ୍ରିଗୁଡା, ଖଳିଗଡ ଭଳି ଅନେକ ଛୋଟ ବଡ଼ ଗାଁ ରହିଛି l ଏହି ଗାଁର ପ୍ରାୟ ମହିଳା ଥରେ କି ଦୁଇଥର ନୁହେଁ, ବାରମ୍ବାର ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଥିଲେ ବି ମିଳିନି ଟଙ୍କା l

ଜଙ୍ଗଲ ଭିତରୁ ନିଜ ଛୋଟ ଛୋଟ ପିଲାଙ୍କୁ ଧରି ସହରକୁ ଆସି ଜନସେବା କେନ୍ଦ୍ରରେ ଆଧାର ଲିଙ୍କ କରିବା ଓ ଆବେଦନ କରିବାକୁ କଷ୍ଟ କରିଥିଲେ ମହିଳା । ଏବେ ସେ କଷ୍ଟର ମୂଲ୍ଯ ମଧ୍ଯ ରହିଲାନି । ଏପରିକି ଜଣେ ଜଣେ ମହିଳା ସୁଭଦ୍ରା ଟଙ୍କା ପାଇବା ପାଇଁ ଦୁଇରୁ ତିନି ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୂର୍ବ ସରକାରରେ ଏତେ ଅସୁବିଧା ହେଉ ନଥିଲା ବୋଲି କହିଛନ୍ତି l