ପଦ୍ମ ପୋଖରୀରୁ ବାହାରି ଶଙ୍ଖ କ୍ୟାମ୍ପରେ ଯୋଗଦେଲେ ମାହାଙ୍ଗାର ଶତାଧିକ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ପ୍ରଭାବିତ ହୋଇ ବିଜେପି ଛାଡି ବିଜେଡିରେ ମିଶିଲେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପୋଡାମରେଈ ପଂଚାୟତର ସରପଞ୍ଚ ନାରାୟଣ ସେଠୀ । ନାରାୟଣଙ୍କ ସହ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତ ଓ ନାଏବ ସରପଞ୍ଚ ଆରତୀ ଜେନା ମଧ୍ୟ ଶଙ୍ଖ ଫୁଙ୍କୁଛନ୍ତି । ସେମାନଙ୍କ ସହ ମାହାଙ୍ଗାର ଶତାଧିକ କର୍ମୀ ବି ଶଙ୍ଖ ଶିବିରିରେ ଯୋଗ ଦେଇଛନ୍ତି ।

ପୋଡାମରେଇ ହେଉଛି ୨୦୧୯ ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ପଂଚାୟତ । ମିଳିମିଶି ଗାଁର ଉନ୍ନତି କରିବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି । ଏହି ଲକ୍ଷ୍ୟ ନେଇ ସେମାନେ ଦଳରେ ମିଶିଛନ୍ତି । ଏମାନେ ବିଜେପିର ଆଗ ଧାଡିର ନେତା ଥିଲେ । ସାରା ଓଡ଼ିଶାର ବିଜେପିର ଆଭିମୁଖ୍ୟରେ ଅତିଷ୍ଠ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ।

ଏମାନଙ୍କ ଯୋଗଦାନ ଯୋଗୁଁ ବିଜେଡି ସଂଗଠନ ଅଧିକ ମଜଭୁତ ହେବ ବୋଲି ବିଧାୟକ ପ୍ରତାପ ଜେନା ସମସ୍ତଙ୍କୁ ଦଳକୁ ସ୍ବାଗତ କରି କହିଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସହ ଅଛନ୍ତି । ତେଣୁ ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ । କେଉଁ ଆଧାରରେ ଆଗୁଆ ନିର୍ବାଚନ କଥା କହୁଛି ବିଜେପି, ତାହା ତାଙ୍କୁ ପଚାରନ୍ତୁ । ଏବେ ଠାରୁ ଆଗୁଆ ନିର୍ବାଚନ କଥା କହିବା ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା । ଅନ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଶାସନ ପ୍ରଭାବିତ କରିଛି ।

ନିର୍ବାଚିତ ହୋଇ ଯଦି ଲୋକଙ୍କ ସେବା ନକରିବୁ ତେବେ ଲୋକେ କାହିଁକି ଭୋଟ ଦେବେ । ସେଥିପାଇଁ ବିଜେଡିରେ ଯୋଗଦେଲୁ ବୋଲି କହିଛନ୍ତି ସରପଞ୍ଚ ନାରାୟଣ ସେଠୀ । ବିଜେଡି ପାଇଁ ନିର୍ବାଚନ କେବେ ବି ଆହ୍ୱାନ ନୁହେଁ । ଆମେ ସବୁବେଳେ ଲୋକଙ୍କ ସହ ଅଛୁ । ଲୋକଙ୍କ ପାଇଁ କାମ କରୁଛୁ । ଆମର ଏକ ମାତ୍ର ଲକ୍ଷ୍ୟ କେମିତି ବିକାଶ ହେବ ବୋଲି କହିଛନ୍ତି ନାରାୟଣ ।