spot_img

Latest Posts

ଶିଳ୍ପ ପ୍ରତିଷ୍ଠା ନାଁରେ କମ୍ପାନୀ ମାନଙ୍କୁ ଟେକି ଦିଆଯାଉଛି ଶହ ଶହ ଏକର ଜମି

ଶିଳ୍ପ ପ୍ରତିଷ୍ଠା ନାଁରେ ଚାଲିଯାଉଛି ଶହ ଶହ ଏକର ଜମି । ସାଗ ମାଛ ଦରରେ କମ୍ପାନୀ ମାନଙ୍କୁ ଟେକି ଦିଆଯାଉଛି । ହଠାତ ଜମି ଛାଡିବାକୁ ନୋଟିସ୍ ପାଇ ଆଶ୍ଚର୍ଯ୍ୟ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଓଳସିଂ ପଞ୍ଚାୟତର ନୟାକୋଟ ରାଜସ୍ବ ମୌଜାରେ ଥିବା, ୭ଟି ପ୍ଲାଟରେ ଥିବା ଶହ ଶହ ଏକର ଜମି ପ୍ରଶାସନ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଚିହ୍ନଟ କରାଯାଇଛି। ଏହି ଜମିରେ ରହିଛି ଗ୍ରାମବାସୀଙ୍କ ଚାଷ ଜମି, ଗୋଚର, ମନ୍ଦିର, ଜଳ ସେଚନ ପ୍ରକଳ୍ପ ଇତ୍ୟାଦି । ଏହି ସବୁ ଜମି ଚାଲିଗଲେ ଗାଁ ଲୋକଙ୍କ ଭାତ ହାଣ୍ଡି ଉଜୁଡିଯିବ । ଏହାର ପ୍ରତିବାଦରେ ଗ୍ରାମବାସୀ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ।

ଓଳସିଂ, ଡମଣଭୁଁଇ, ସହିତ ଆଖପାଖ ୧୫ଟି ଗାଁର ଲୋକେ ଏହାଦ୍ୱାର ପ୍ରଭାବିତ ହେବେ। ପୁରୁଷ ପୁରୁଷ ଧରି ଚାଷ କରୁଥିବା ଜମି ସେମାନଙ୍କ ହାତରୁ ଚାଲିଯିବ । ଶିଳ୍ପ ସ୍ଥାପନ କରି ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ଲୋଭ ଦେଖାଇ ସରକାର ଜମି ନେବାକୁ ମସୁଧା ଚଳାଇଛନ୍ତି । ଏହାକୁ ବନ୍ଦ ନକଲେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେପଟେ ଜିଲ୍ଲାପାଳ ଅମ୍ରୀତ୍ ରୁତୁରାଜ୍ ଗ୍ରାମବାସୀଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଇଡକୋକୁ ଜମି ପ୍ରଦାନ ବେଳେ ଗ୍ରାମବାସୀଙ୍କ ଦାବି ପ୍ରତି ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଜନତାଙ୍କ ପେଟକୁ ଲାତ ମାରି କମ୍ପାନୀଙ୍କୁ ପୋଷିବା ପାଇଁ ଚକ୍ରାନ୍ତ ବନ୍ଦ ନକଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ନିଶ୍ଚିତରୂପେ ମୁଣ୍ଡ ଟେକିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

Latest Posts

Don't Miss