ଭୁବନେଶ୍ବର : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏକାଧିକ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ ସାଗର। ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯାଇଥିଲା। ଶ୍ବାସକ୍ରିୟା ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତ ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହ୍ୟୁମାନ ସାଗର। ଆଜି ଟିଟିଲାଗଡ଼ର ଜନ୍ମମାଟିରେ ହେବ ଶେଷକୃତ୍ୟ। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ଥିଲେ। ଇସ୍କ ତୁହି ତୁରେ ସିନେମାରେ ପ୍ରଥମ ଗୀତ ଗାଇଥିଲେ। ହ୍ୟୁମାନଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ହ୍ୟୁମାନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ନଭେମ୍ବର ୧୪ ତାରିଖରୁ ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଲିଭର ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଫୁସଫୁସ, କିଡନି, ଲିଭର ଏବଂ ବ୍ରେନ୍ ଭଳି ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିଲା । ଡାକ୍ତରୀ ଟିମର ସୂଚନା ଅନୁସାରେ, ହ୍ୟୁମାନ ସାଗର ମଲ୍ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ଥିଲେ । ଏଥିସହ ଆକ୍ୟୁଟ୍ ଅନ୍-କ୍ରୋନିକ୍ ଲିଭର ଫେଲ୍ୟୁଓର, ଡିଲେଟେଡ୍ କାର୍ଡିଓମାୟୋପ୍ୟାଥି, ନିମୋନିଆ ଓ ରକ୍ତ ସଂକ୍ରମଣ ଭଳି ସମସ୍ୟାରେ ପୀଡ଼ିତ ଥିଲେ । ହ୍ୟୁମାନ୍ ସାଗର ୧୯୯୦ ନଭେମ୍ବର ୨୫ ତାରିଖରେ ବଲାଙ୍ଗୀର ଟିଟିଲାଗଡ଼଼ଠାରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତ ସହ ଜଡ଼ିତ ପରିବାରରୁ ଆସିଥିବା ହ୍ୟୁମାନ ମାତ୍ର ୮ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ଓ ମାତା ଉଭୟ ମଧ୍ୟ ଗାୟକ ଥିଲେ । ଆରମ୍ଭରୁ ଏମବିବିଏସ୍ ପଢ଼ିବାର ଲକ୍ଷ୍ୟ ଥିଲେ ମଧ୍ୟ ପରେ ସେ ସଂପୂର୍ଣ୍ଣ ଭାବେ ସଙ୍ଗୀତକୁ ସମର୍ପିତ ହୋଇଥିଲେ । ୨୦୧୨ ମସିହାରେ ଭଏସ୍ ଅଫ୍ ଓଡ଼ିଶା ସିଜନ୍ ୨ରେ ପ୍ରଥମ ସ୍ଥାନ ହାସଲ କରି ସେ ଓଲିଉଡରେ ପ୍ରବେଶ କରିଥିଲେ । ୨୦୧୫ରେ ଇସ୍କ ତୁ ହିଁ ତୁ ଫିଲ୍ମରେ ପ୍ରଥମ ଥର ପାଇଁ ପ୍ଲେବ୍ୟାକ୍ ଗୀତ ଗାଇ ସେ ଖ୍ୟାତି ଲାଭ କରିଥିଲେ । ତାଙ୍କ ସୁମଧୁର କଣ୍ଠସ୍ୱର ତାଙ୍କୁ ଯୁବ ପିଢ଼ିର ଅତି ପ୍ରିୟ ଗାୟକ କରି ଦେଇଥିଲା । ଶତାଧିକ ଆଲବମ୍, ଫିଲ୍ମ ଏବଂ ମେଲୋଡିୟସ୍ ଗୀତ ଗାଇଥିଲେ ହ୍ୟୁମାନ। ତାଙ୍କ ଅକାଳ ବିୟୋଗ ସଙ୍ଗୀତ ଜଗତରେ ସୃଷ୍ଟି କରିଛି ଅପୂରଣୀୟ କ୍ଷତି।

