ସମ୍‌ରେ ବହୁ ପ୍ରତୀକ୍ଷିତ କୋଭାକ୍ସିନ୍‌ର ମାନବ ପରୀକ୍ଷଣ

1 min read
Covaxin Effectively Neutralises Delta Covid Variant: Top US Health Research Institute

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ସୋମବାର ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ୍‌ ସାଇନସ୍‌ ଓ ସମ୍‌ ହସ୍ପିଟାଲରେ ଏହି ପରୀକ୍ଷା କରାଯାଇଛି । ଭାରତ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭାକସିନ୍‌ର ପ୍ରଥମ ମାନବ ପରୀକ୍ଷଣ ଜଣେ ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଇଛି ।

ବିଭିନ୍ନ ସ୍ତରରେ ସ୍ୱେଚ୍ଛାସେବୀଙ୍କ ପରୀକ୍ଷା ନିରୀକ୍ଷା ପରେ ଆଜି ଟିକାର ପରୀକ୍ଷଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାନବ ପରୀକ୍ଷଣର ପ୍ରିନସିପାଲ୍‌ ଇନଭେଷ୍ଟିଗେଟର ଡାକ୍ତର ଇ. ଭେଙ୍କଟରାଓ । ଏହି ପରୀକ୍ଷଣ ପାଇଁ ବହୁ ସଂଖ୍ୟାରେ ଲୋକେ ଉତ୍ସାହିତ ଅଛନ୍ତି ।

ଲୋକମାନେ ସ୍ୱେଚ୍ଛାକୃତ ଭାବେ ନିଜ ଶରୀରରେ ଟିକା ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଭେଙ୍କଟରାଓ କହିଛନ୍ତି । ଆଇସିଏମ୍‌ଆର୍‌ ଓ ଭାରତ ବାୟୋଟେକ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ଏହି କୋଭାକସିନର ମାନବ ପରୀକ୍ଷଣ ପାଇଁ ୧୨ଟି ମେଡିକାଲ ଇନଷ୍ଟିଚ୍ୟୁଟ୍‌କୁ ବଛାଯାଇଥିଲା । ସେଥିମଧ୍ୟରୁ ଓଡ଼ିଶାରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ୍‌ ଓ ସମ ହସ୍ପିଟାଲ ଅନ୍ୟତମ ।

ଏହି ପରୀକ୍ଷଣ ପାଇଁ ଆଗ୍ରହୀ ସ୍ୱେଚ୍ଛାସେବୀ ଅନ୍‌ଲାଇନରେ ptctu.soa.ac.in ଏହି ଓ୍ୱେବ୍‌ସାଇଟ୍‌ ଯୋଗେ ଆବେଦନ କରିପାରିବେ । ସ୍କ୍ରିନିଂ ପରେ ଯଦି ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବ ତେବେ ସେହି ବ୍ୟକ୍ତିଙ୍କଠାରେ ଏହି ଟିକାର ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

ସମ୍‌ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ୍‌ ଆଣ୍ଡ ଥେରାପିଉଟିକ୍‌ କ୍ଲିନିକାଲ ୟୁନିଟରେ ସ୍ୱେଛାସେବୀ ମାନଙ୍କ ଶରୀରରେ ଏହି ଭ୍ୟାକସିନର ପ୍ରୟୋଗ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଥିବା ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡ଼ଃ ରାଓ ସୂଚନା ଦେଇଛନ୍ତି । ପରୀକ୍ଷଣ ପରେ ସ୍ୱେଚ୍ଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼ଃ ରାଓ ସୂଚନା ଦେଇଛନ୍ତି ।

Leave a Reply