ଶ୍ରୀୟାଙ୍କୁ ହ୍ୟୁମାନଙ୍କ ପ୍ରଶ୍ନ: ସମୟ ମାଗି ପ୍ରେସମିଟର ଆବଶ୍ୟକତା କ’ଣ ଥିଲା ?

1 min read

କଟକ: ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା । ପତ୍ନୀ ଶ୍ରୀୟାଙ୍କ ପ୍ରେସମିଟ୍ ପରେ ଜବାବ ଦେଲେ ହ୍ୟୁମାନ । ପଚାରିଲେ ସମୟ ମାଗି ପ୍ରେସମିଟ କରିବାର କ’ଣ ଆବଶ୍ୟକତା ଥିଲା । କହିଲେ- ପ୍ରଥମେ ମାରି ପରେ କ୍ଷମା ମାଗିବାର କିଛି ମାନେ ନାହିଁ । ଆମେ ଆପୋଷ ବୁଝାମଣା ଚାହୁଁ ।

ଆଗକୁ ସେ କହିଛନ୍ତି, ’ପାରିବାରିକ ବିବାଦରେ ମଧ୍ୟସ୍ଥିର କୌଣସି କାମ ନାହିଁ । ଶ୍ରୀୟାଙ୍କ ଅଭିଯୋଗ ବହୁତ ଦୁଃଖ ଦେଇଛି । ସେହିପରି ଶ୍ରୀୟା ପରିବାର ଲୋକଙ୍କ ସହ ମିଶି ମଦ୍ୟପାନ କରନ୍ତି ବୋଲି କହିଛନ୍ତି ହ୍ୟୁମାନ । ଏସବୁ ଅଧିକ ହେବାରୁ ଝଗଡା ଆରମ୍ଭ ହୋଇଛି ।’

ପୂର୍ବରୁ  କଟକରେ ପ୍ରେସମିଟ୍ କରି ବର୍ଷିଥିଲେ ପତ୍ନୀ ଶ୍ରୀୟା ମିଶ୍ର । ସ୍ବାମୀ ହ୍ୟୁମାନ ସାଗରଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । କହିଥିଲେ- ଅତ୍ୟଧିକ ମଦ ପିଇ ଗାଳିଗୁଲଜ ସହ ମାରପିଟ କରୁଥିଲେ ହ୍ୟୁମାନ । ମଦ ପିଇ ସ୍ବାସ୍ଥ୍ୟ ଖରାପ ହେଲା । କ୍ୟାରିୟର ଉପରେ ବି ଫଣକ ପଡ଼ିଲା । ତେଣୁ ମଦ ପିଇବାକୁ ବାରଣ କରିବାରୁ ଅତ୍ୟାଚାର ବଢ଼ିଥିଲା । ଝିଅ ଜନ୍ମ ପରଠାରୁ ନିର୍ଯାତନାର ମାତ୍ରା ବଢ଼ିଥିଲା । ଯେହେତୁ ସ୍ୱାମୀ ସେଲିବ୍ରିଟି, ସେଥିପାଇଁ ସବୁ ନିର୍ଯାତନା ସହିଯାଉଥିଲି । ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି ।

ସେ କହିଥିଲେ, ‘ଶରୀରର ବିଭିନ୍ନ ଅଂଶକୁ ପିଟିଛନ୍ତି ହ୍ୟୁମାନ । ଶରୀରରେ ଦାଗ ରହିଛି । ଏହାକୁ ଲୁଚାଇବାକୁ ଟାଟୁ ବନାଇଛି । ଧର୍ମକୁ ନେଇ କୌଣସି ନିର୍ଯାତନା ଦେଉନଥିଲେ ଶାଶୂ-ଶ୍ୱଶୁର । ଶାଶୂ ଧର୍ମ ବଦଳାଇବା କଥାରେ ପିଟାପିଟି କରିନାହାନ୍ତି । ମୁଁ ବ୍ରାହ୍ମଣ ଘରର ଝିଅ, ଅଲଗା ଧର୍ମରେ ବିବାହ କରିଥିବାରୁ ସିନ୍ଦୁର ଲଗାଇବାକୁ ବାରଣ କରୁଥିଲେ । ଝିଅ ସହିତ ହ୍ୟୁମାନଙ୍କ ଅଧିକ ଆଟାଚମେଣ୍ଟ ନାହିଁ । ସେ ଝିଅର କୌଣସି ଦାୟିତ୍ୱ ନିଅନ୍ତିନି ।’

ଥାର୍ଡ ପର୍ସନର ଅନୁପ୍ରବେଶରୁ ଅଶାନ୍ତି ହୋଇଥିବା କହିଥିଲେ ଶ୍ରୀୟା । ବହୁବାର କମ୍ପ୍ରମାଇଜ୍ ହୋଇଛି । ହ୍ୟୁମାନଙ୍କ ଗୋଡ଼ହାତ ଧରି ମୋ ପରିବାର ବୁଝାଇଛନ୍ତି । ଗତବର୍ଷ ସେପଟେମ୍ବର ୨୭ରେ ଏମିତି ଏକ କଥାରେ ମାରପିଟ୍ କରିଥିଲେ ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ହ୍ୟୁମାନ । ଏମିତିକି କମ୍ପ୍ରମାଇଜ ପାଇଁ ମୋ ବାପାମାଆ ଯାଇଥିବା ବେଳେ ତାଙ୍କୁ ଅସମ୍ମାନ କରିବା ସହ ମୋତେ ଘରୁ ବାହାର କରିଦେଇଥିଲେ । ସେହିଦିନଠାରୁ ବାପାଙ୍କ ଘରେ ରହୁଛି ବୋଲି କହିଥିଲେ ।

ଏବେ ବି ମୋ ପରିବାର ବୁଝାପଣା ପାଇଁ ପ୍ରସ୍ତୁତ ଅଛନ୍ତି । ହେଲେ ହ୍ୟୁମାନ କି ତାଙ୍କ ମାଆଙ୍କର କୌଣସି ଫୋନ କଲ୍ କି ମେସେଜ୍ ଆସି ଆସିନି । ପୂର୍ବପରି ଭଲ ପାଇବା ଓ ସମ୍ମାନ ଦେଲେ ପୁଣି ସ୍ବାମୀଙ୍କ ପାଖକୁ ଫେରିବି ବୋଲି ଶ୍ରୀୟା କହିଥିଲେ ।