ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ମଜଦୁର ମହାସଂଘର ଯୁଦ୍ଧଂ ଦେହି ଡାକରା
ଭୁବନେଶ୍ବର : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ମଜଦୁର ମହାସଂଘର ଯୁଦ୍ଧଂ ଦେହି ଡାକରା। ଆସନ୍ତା ୨୯ ତାରିଖରେ ଗଂଜାମରେ କରାଯିବ ବିରାଟ ଚାଷୀ ସମାବେଶ। ଉଭୟ ସରକାର ଚାଷୀ ମାରଣ ନୀତି କରିଥିବା ପ୍ରତିବାଦରେ ଏହି ସମାବେଶ କରିବାକୁ କୃଷକ ମଜଦୁର ମହାସଂଘ ନିଷ୍ପତ୍ତି ନେଇଛି। ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଚାଷୀଙ୍କୁ ନ ମିଳିବା, ସରକାରଙ୍କ ଚାଷୀ ବିରୋଧୀ ନୀତି, କୃଷକଙ୍କ ପ୍ରତି ମନ୍ତ୍ରୀଙ୍କ ଉପହାସମୂଳକ ମନ୍ତବ୍ୟ ଓ ମିଛ ବିରୋଧରେ ଏହି ଆନ୍ଦୋଳନ। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ସମାବେଶ କରି ତାକୁ ବ୍ୟାପକ କରିବାକୁ କରାଯିବ ବୋଲି କହିଛି କୃଷକ ମଜଦୁର ମହାସଂଘ ।
ରାଜ୍ୟରେ ଦରଦାମ ବୃଦ୍ଧି ଲାଗି ରହିଥିବା ବେଳେ ତାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ। ଏପରିକି ଆଳୁ ସଂକଟର ସମାଧାନ ଏଯାଏ କରିପାରିନାହାନ୍ତି। ଅଣନିଶ୍ଵାସୀ ହୋଇ ଗଲେଣି ସାଧାରଣ ଜନତା। କିନ୍ତୁ ସମାଧାନ କରି ନ ପାରି ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ବ୍ୟବସାୟୀଙ୍କ ଉପରେ ଜୁଲମ୍ କରାଯାଉଥିବାର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ରାଜ୍ୟ ବ୍ୟବସାୟୀ ମହାସଂଘ ଜାନୁଆରି ୧୯ ତାରିଖରେ ଭବାନୀ ପାଟଣାରେ ଏକ ବିରାଟ ସମାବେଶ କରିବ। ସେପଟେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା ସିଟିଜେନସ ଫୋରମ୍ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଏକ ବିଶାଳ ବିକ୍ଷୋଭ ସମାବେଶ କରିବାକୁ ନିଷ୍ପତ୍ତି ନେଇଛି। ନିଜ କର୍ମର ପରିଣାମ ଭୋଗିବାକୁ ସରକାର ପ୍ରସ୍ତୁତ ରହନ୍ତୁ ବୋଲି ଚେତାଇ ଦେଇଛନ୍ତି ଦୁଇ ସଂଘ। କ୍ଷମତାକୁ ଆସିବା ପରଠୁ ରାଜ୍ୟ ସରକାର କେବଳ ବଡ଼ ବଡ଼ ଭାଷଣ ମାରୁଛନ୍ତି। ହେଲେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀମାନେ ବିଭିନ୍ନ କାରଣରୁ ହନ୍ତସନ୍ତ ହେଉଛନ୍ତି। ସହିବାର ସବୁ ସୀମା ଟପିବା ପରେ ସେମାନେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ଭୋଟରେ ବି ଜବାବ ଦିଆଯିବ ବୋଲି କହୁଛନ୍ତି।