ନୂଆବର୍ଷ ଓ ଜିରୋନାଇଟ୍ ସେଲିବ୍ରେସନ୍ ପାଇଁ ପୁରୀରେ ଜମୁଛି ଭିଡ଼

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି। ନୂଆବର୍ଷ ଓ ଜିରୋନାଇଟ ପାଇଁ ପୁରୀ ଛୁଟୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ନୂଆବର୍ଷକୁ ସ୍ବାଗତ କରି ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସହରରେ ଥିବା ସମସ୍ତ ହୋଟେଲ ଗୁଡ଼ିକ ଏବେଠାରୁ ବୁକ୍ ହୋଇଗଲାଣି। ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏବେ ଠାରୁ ନୂଆବର୍ଷର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁ ହୋଟେଲ ଗୁଡିକର ରୁମ ବୁକିଂ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କ ଯେପରି କିଛି ଅସୁବିଧା ନହୁଏ ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରିଛି ହୋଟେଲ ସଂଘ। ସେହିପରି ପର୍ଯ୍ୟଟନ ୠତୁକୁ ନଜରରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏବେଠାରୁ ଝଟକିଲାଣି ସହର। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ନୂଆ ବର୍ଷ ଛୁଟି କାଟିବା ଲକ୍ଷ୍ୟ ଥିବାରୁ ପୁରୀକୁ ପର୍ଯ୍ୟଟକ ଅଧିକ ପସନ୍ଦ କରୁଛନ୍ତି। ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।