ମାଛ ବଦଳରେ ଜାଲରେ ପଡ଼ିଲା ବିରାଟ କୁମ୍ଭୀର

ଆରଡ଼ି: ମାଛ ବଦଳରେ ଜାଲରେ ପଡ଼ିଲା ବିରାଟ କୁମ୍ଭୀର। ବଡ଼ ମାଛ ପଡ଼ିଛି ଭାବି ଖୁସିରେ ଜାଲ ଉଠାଇଲା ବେଳାକୁ ଦେଖିଲେ ଜାଲରେ କୁମ୍ଭୀର ଲାଗିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ଭଦ୍ରକ ଜିଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ଶାଖା ନଦୀ ହଂସଦୀଆ ନଦୀରେ। ଗତକାଲି ରାତିରେ ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଉକ୍ତ ନଦୀକୁ ଯାଇଥିଲା। ପ୍ରଥମେ ଥରେ ଦୁଇଥର ଜାଲରେ ମାଛ ପଡ଼ିଥିଲା କିନ୍ତୁ ପରେ ଆଉଥରେ ଜାଲ ଟାଣୁଥିବା ବେଳେ ଏକ ୪ଫୁଟିଆ ହିଂସ୍ର କୁମ୍ଭୀର ଜାଲର ଫାସରେ ପଡ଼ିଥିଲା।

ବଡ଼ ମାଛ ଭାବି ଡଙ୍ଗା ଦ୍ୱାରା ମତ୍ସ୍ୟଜୀବୀ ଜଣକ ନଦୀକୂଳକୁ ଜାଲ ଆଣିଥିଲେ। ଜାଲକୁ ଉପରକୁ ଆଣିବା ପରେ ଜାଲରେ କୁମ୍ଭୀର ଲାଗିଛି ବୋଲି ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଭୟରେ ଜାଲ ଡଙ୍ଗା ଛାଡ଼ି ଦୌଡି ପଳାଇଥିଲେ ମତ୍ସ୍ୟଜୀବୀ ଜଣକ। ପରେ ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିବା ସହ ଆରଡି ପୁଲିସ ଓ ଧାମନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରକୁ ନେଇ ଅନ୍ୟତ୍ର ଛାଡିଥିଲେ। ଏପରି ହିଂସ୍ର କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭିତ ହୋଇପଡ଼ିଥିଲେ। ଏହି ନଦୀରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାଧୋଇବା ସହ ଘରର ନିତ୍ୟ ବ୍ୟବହାର ପାଇଁ ପାଣି ଆଣିଥାନ୍ତି।

Leave a Reply