ଲକଡାଉନ୍ ପରେ ଭାରତୀୟ ରେଳ କିଭଳି ସାମାଜିକ ଦୂରତାକୁ ରକ୍ଷା କରିବ,ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ ଜାରି ରହିଛି । ଯାତାୟତ ଠପ୍‌ ହୋଇଥିବାବେଳେ ଜୀବନଯାତ୍ରା ବି ପ୍ରଭାବିତ ହୋଇଛି , ହେଲେ ଲକଡ଼ାଉନ ପରେ ଯଦି ରେଳଯାତ୍ରା ଆରମ୍ଭ ହୁଏ ତେବେ କଣ ହେବ ବ୍ୟବସ୍ଥା ? ସାମାଜିକ ଦୂରତାକୁ କିଭଳି ଦିଆଯିବ ଗୁରୁତ୍ୱ ? ସ୍ୱଚ୍ଛତାକୁ ଦିଆଯିବ ତ ସର୍ବାଧିକ ପ୍ରାଥମିକତା ? ଏନେଇ କଣ ଚିନ୍ତା କରୁଛି ରେଳ ବିଭାଗ ?

ଦେଶରେ ବିଗତ ୨୫ ମାର୍ଚ୍ଚରୁ ସ୍ଥଗିତ ରହିଛି ରେଳଯାତ୍ରା । ତେବେ ୨୧ ଦିନର ଲକଡ଼ାଉନ ସରିବା ପରେବି ମନରୁ ଯାଇନଥିବ କରୋନା ସଂକ୍ରମଣର ଭୟ । ବେଳକୁ ବେଳ ସ୍ଥିତି ଜଟିଳ ହେଉଛି, ଏଭଳି ଏକ କ୍ଷେତ୍ରରେ ରେଳଯାତ୍ରା କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା ବଢିଯାଇଛି? ଟ୍ରେନରେ ସାମାଜିକ ଦୂରତାକୁ ରକ୍ଷା କରିବା କଣ ସମ୍ଭବପର ହେବ? ବାସ୍ତବିକ ପରିଷ୍କାର ପରିଚ୍ଛନ୍ନତାକୁ କେତେ ଗୁରୁତ୍ୱ ଦିଆଯିବ? ଏମିତି ଅନେକ ପ୍ରଶ୍ନ ଏବେ ଆପଣଙ୍କ ମନରେ ଉଙ୍କି ମାରୁଛି । ତେବେ ଭାରତୀୟ ରେଳବିଭାଗ ଏ ଦିଗରେ ଗମ୍ଭୀରତା ପ୍ରକାଶ କରିଛି । କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବା କଥା ଚିନ୍ତା କରାଯାଉଛି । ଲକଡ଼ାଉନ ସରିବା ପରେ ରେଳଯାତ୍ରୀଙ୍କ ପାଇଁ ଆଡ଼ଭାଇଜାରୀ ଜାରିକରିବାକୁ ବିଚାର କରାଯାଉଛି ।

ଏଥିରେ ରହିବ ସାମାଜିକ ଦୂରତା ରକ୍ଷା ଅନିବାର୍ଯ୍ୟର ସର୍ତ୍ତ , ତାସହିତ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ଆରୋଗ୍ୟ ସେତୁ ଆପ୍‌ର ବ୍ୟବହାର । ଏ ନିର୍ଦ୍ଦେଶ ମଧ୍ୟ ଆସିପାରେ ଯେ କେବଳ ସୁସ୍ଥ ଯାତ୍ରୀ ହିଁ କରିପାରିବେ ରେଳ ଯାତ୍ରା । ରେଲୱେ ବୋର୍ଡର ପ୍ରତ୍ୟେକ ଜୋନକୁ ଏ ସବୁ ଦିଗକୁ ଗୁରୁତ୍ୱ ଦେବାର ପ୍ରସ୍ତାବ ଦିଆଯାଇଛି । ଏ ସମ୍ବେଦନଶୀଳ ସମୟରେ ଆମ ଧ୍ୟାନ ରାଜସ୍ୱ ଆଦାୟରେ ନୁହଁ ବରଂ ଜୀବନ ବଞ୍ଚାଇବାରେ ରହିବା ଯଥାର୍ଥ ହେବ ବୋଲି ମତ ପ୍ରକାଶ ପାଇଛି । ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବର୍ତ୍ତମାନ ସମୟରେ ରେଳବିଭାଗର ଗୁରୁ ଦାୟିତ୍ୱ ହେଉ । ଯାହା ଦ୍ଵାରା ସଂକ୍ରମଣ ରୋକା ଯାଇପାରିବ ।

ତେବେ କେଉଁ କେଉଁ ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଚାଲିବ ତାର ନିର୍ଣ୍ଣୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଅଧିକାରୀ ପ୍ରଥମେ ଏହା ଦେଖିବେ ଯେ ଦେଶର କେଉଁ କେଉଁ କ୍ଷେତ୍ରକୁ ରେଳ ଚଳାଚଳର ସୁବିଧା ଉପଲବ୍ଧ ହେଉଛି । ତେବେ ସୂଚନା ମୁତାବକ କ୍ୱାରେଣ୍ଟାଇନ ସମୟରେ  ରେଳ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସିଟ ଆରେଞ୍ଜମେଣ୍ଟ ସହ ତିଆରି ହେଉଛି ଆଇସୋଲେସନ କୋଚ୍‌ ।  ଆଶା କରିବା ରେଳ ବିଭାଗର ଏ ତତ୍ପରତା ଲକଡ଼ାଉନ ପରର ସ୍ଥିତିକୁ ସ୍ୱାଭାବିକ କରିବାରେ ସହାୟକ ହେବ ।

(ସ୍ମୃତିଲଗ୍ନା ନନ୍ଦ)

Leave a Reply