‘INDIA’ ମହାମେଣ୍ଟରୁ ସବୁ ସମ୍ପର୍କ ଛିନ୍ନ କଲା AAP: ଏବେ ସଂସଦରେ ବିରୋଧୀଙ୍କ ସ୍ବର କିପରି ରହିବ?

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ସଂସଦ ଅଧିବେସନ ଅବସରରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିପକ୍ଷ ମହାମେଣ୍ଟ ଇଣ୍ଡିଆ ବ୍ଲକ ବୈଠକ ଡକାଇଛି, ଯେଉଁଥିରେ ଆମ୍ ଆଦମୀ ପାର୍ଟି ସାମିଲ ହେବ ନହିଁ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତରୁ ଦୂରେଇ ରଖିବାରେ ସଫଳ ହୋଇଥିବା ’ଇଣ୍ଡିଆ’ ମହାମେଣ୍ଟରେ ଏବେ ଫାଟ ସୃଷ୍ଟି ହେଲାଣି  । ଲୋକସଭା ନିର୍ବାଚନ ପୂର୍ବରୁ ଆପ ମହାମେଣ୍ଟରୁ ନିଜକୁ ଦୂରେଇ ରଖିଥିଲା । ଏବେ ସଂସଦର ମୌସୁମୀ ଅଧିବେସନ ପୂର୍ବରୁ ଗଠବନ୍ଧନରୁ ନିଜର ସବୁ ସମ୍ପର୍କ ସମାପ୍ତ କରିଛି ଆପ । ଆପର ଏହି ରାଜେନୖତିକ ପଦକ୍ଷେପ ସଂସଦରେ ବିପକ୍ଷଙ୍କ ଏକଜୁଟ ସ୍ବର ଦୁର୍ବଳ ହେବାର ଆଶଙ୍କା କରାଯାଉଛି ।

ସଂସଦର ମୌସୁମୀ ଅଧିବେସନ ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଅଧିବେସନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଥିଲା, ମାତ୍ର ମୋଦୀ ସରକାର ତାହାକୁ ଗୋଟିଏ ସପ୍ତାହ ବଢ଼ାଇ ଦେଇଥିଲେ । ମୋଦୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଅନଲାଇନ ବୈଠକ ଡକାଯାଇଥିଲା । ସେଥିରେ ଆପ ଅଂଶଗ୍ରହଣ କରିବ ନାହିଁ । ଏହି କ୍ରମରେ ଆପ ଇଣ୍ଡିଆ ଗଠବନ୍ଧନରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିଛି । ତାଙ୍କ ଦଳ ଇଣ୍ଡିଆ ଗଠବନ୍ଧନ ବୈଠକରେ ସାମିଲ ହେବ ନାହିଁ ବୋଲି ଆପ ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ କରିଛନ୍ତି । ସଞ୍ଜୟ ଏହା ମଧ୍ୟ କହିଛନ୍ତି କି, ଆପ ସଂସଦୀୟ ପ୍ରସଙ୍ଗରେ ଟିଏମସି ଓ ଡିଏମକେ ପରି ବିପକ୍ଷ ଦଳଙ୍କ ସହ ସମନ୍ବୟ ବଜାୟ ରଖିବ ଓ ସେମାନଙ୍କୁ ସମର୍ଥନ କରିବ । ଏହି ସବୁ ଦଳ ଆପକୁ ସମର୍ଥନ କରୁଛନ୍ତି ।