ଅକ୍ସିଜେନ କମିଲେ କେମିତି କରିବେ ଉପଚାର, ଘରେ କରନ୍ତୁ ପ୍ରୟୋଗ

ନନ୍ଦିଘୋଷ ବ୍ୟୁରୋ: ଅକ୍ସିଜେନର ଅଭାବରେ ଆଉଟପାଉଟ ଏବେ ଅନେକ ରାଜ୍ୟ । ବେଡ ସଂଖ୍ୟା ଠାରୁ ବଳି ପଡୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯଦି ବେଡ ମିଳୁଛି ତେବେ ଅକ୍ସିଜେନ ମିଳୁନି, ଆଉ ଯଦି ଅକ୍ସିଜେନ ମିଳୁଛି ତେବେ ବେଡ ମିଳୁନାହିଁ । ଏପରି ସ୍ଥିତି ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । ଅନେକ ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ଅକ୍ସିଜେନ ସଂଯୋଗରେ ମଧ୍ୟ ରହୁଛନ୍ତି । ତେବେ ଘରେ ରହିବା ସମୟରେ ଆପଣ କିମ୍ବା ଆପଣଙ୍କ ସମ୍ପର୍କୀୟ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରନ୍ତି ତେବେ କରିବେ କଣ ? କିପରି କରିବେ ସମାଧାନ ? କଣ ରହିଛି ଏହାର ଦେଶୀ ଉପଚାର ?

ଦେଶର ଅନେକ ବରିଷ୍ଠ ବିଶେଷଜ୍ଞଙ୍କ ଏନେଇ କିଛି ଟିପସ ଦେଇଛନ୍ତି । ଆମେ ଘରେ ରହିବା ସମୟରେ ନିଶ୍ୱାସ ନେବାରେ ଅସୁବିଧା ହେଲେ ଏହି ଉପାୟକୁ ଅବଲମ୍ବନ କରିପାରିବା । ବିଶେଷଜ୍ଞଙ୍କ କହିବା ମୁତାବକ ଜଣେ ସଂକ୍ରମିତଙ୍କୁ ମୁହଁ ମାଡି ତଳେ ଶୁଆଇବା ଦ୍ୱାରା ନିଶ୍ବସ ପ୍ରଶ୍ୱାସ ନେବାରେ ଉନ୍ନତି ଆସିଥାଏ । ଶରୀରକୁ ଅମ୍ଲଜାନ ମିଳିବାରେ ସହଜ ବି ହୋଇଥାଏ । କୋଭିଡ ଆକ୍ରାନ୍ତଙ୍କ ଠାରେ ଏହି ଉପାୟ ବେଶ ଫଳପ୍ରଦ ହେଉଥିବା କୁହାଯାଇଛି । ଏଭଳି ପ୍ରସେସକୁ ପ୍ରୋନିଂ କୁହାଯାଉଥିବା କହିଛନ୍ତି ବିଶେଷଜ୍ଞ ।

ଜଣେ ବ୍ୟକ୍ତି ନିଜେ ଚାହିଁଲେ ପ୍ରୋନିଂ କରିପାରିବେ । ଏଥିପାଇଁ କେବଳ ୪ରୁ ୫ଟି ତକିଆର ଆବଶ୍ୟକତା ରହିଛି । ପେଟ ମାଡି ଶୋଇବା, ବାମ କଡ଼ରେ ଶୋଇବା, ଡାହାଣ କଡ଼ ମାଡି ଶୋଇବା ଏବଂ ପୁଣି ଥରେ ପେଟ ମାଡି ଶୋଇବା ମଧ୍ୟ ପ୍ରୋନିଂର ପ୍ରୋସେସ । ଏହି ଉପାୟକୁ ଦିନକୁ ଏକ ଘଣ୍ଟାରୁ ଦୁଇ ଘଣ୍ଟା କରାଯାଇପାରିବ । ଏକକାଳୀନ ଅଧ ଘଣ୍ଟାଏ ପ୍ରୋସେସିଂରେ ରହିବା ଦ୍ବାରା ସୁଫଳ ମିଳିପାରିଥାଏ । ଏହାର ଅର୍ଥ ଆପଣ ଯେପର୍ଯ୍ୟନ୍ତ ଶରୀରର କଷ୍ଟ ସମ୍ଭାଳିପାରୁଛନ୍ତି ସେପର୍ଯ୍ୟନ୍ତ କରିପାରିବେ । କିନ୍ତୁ ଖାଇବା ପରେ ହଠାତ ପ୍ରୋନିଂ କରିବା ଶରୀରପ୍ରତି ଫଳପ୍ରଦ ନୁହେଁ । ଖାଇବାର ୩୦ ମିନିଟ ପରେ କରାଯାଇପାରିବ ।

ପ୍ରତ୍ୟକ ବ୍ୟକ୍ତି ପ୍ରୋନିଂ କରିପାରିବେ ହେଲେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ଏହିସବୁ ମନା । ଯେପରିକି ଗର୍ଭବତୀ ମହିଳା, ରକ୍ତ ଜମାଟ ବାନ୍ଧିଥିବା ବ୍ୟକ୍ତି, ଶରୀରରେ କୈଣସି ଅଙ୍ଗରେ ଫ୍ୟାକ୍ଚର ଥିବା ବ୍ୟକ୍ତି ଏବଂ ଯଦି ହାର୍ଟ ସମସ୍ୟା ଥାଏ ତେବେ ପ୍ରୋନିଂ କରିବା ମନା । ତେବେ ପ୍ରଶ୍ନ ଉଠିବା ସ୍ୱଭାବିକ କେତେବେଳେ ଆମେ ଏହି ଉପାୟ ଅବଲମ୍ବନ କରିବା । ବା ଆମେ କେତେବେଳେ ଜାଣିବା ଯେ, ବର୍ତ୍ତମାନ ପ୍ରୋନିଂ କରିବା ଠିକ ବୋଲି । ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ଘଟିଲେ ଅର୍ଥାତ ନିଶ୍ବାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେଲେ ପ୍ରୋନିଂ କରିପାରିବେ । ଯଦ୍ବାରା ଏଭଳି ସମୟରେ ଆମେ ଘରେ ରହି ମଧ୍ୟ ଜୀବନ ସୁରକ୍ଷିତ ରଖିପାରିବା ।

Leave a Reply