ନିକଟବର୍ତ୍ତୀ ହେଉଛି ଜୱାଦ, ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ କେମିତି ରହିଛି ପ୍ରସ୍ତୁତି.. ?

1 min read

ଭୁବନେଶ୍ୱର: ଓଡ଼ିଶା ଉପକୂଳ ନୀକଟବର୍ତ୍ତୀ ହେଉଛି ବାତ୍ୟା ଜୱାଦ ।  ସମୁଦ୍ର ମଝିରେ ଦିଗ ବଦଳାଇ ଉପକୂଳକୁ ମାଡ଼ି ଆସୁଛି  । ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି ଯେ, ପୁରୀ ଜିଲ୍ଲାର ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଜୱାଦ  । ତେବେ ଏନେଇ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ଆଲର୍ଟ କରିଛନ୍ତି  । ବିଶେଷ କରି ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି  । ତେବେ ବାତ୍ୟାକୁ ନେଇ ଏସଆରସି ଜିଲ୍ଲାପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବା ସହ ଯୋଗାଯୋଗରେ ରହିଛନ୍ତି  । ତେବେ କେଉଁଠି କେମିତି ରହିଛି ପ୍ରସ୍ତୁତି, ଆସନ୍ତୁ ଜାଣିବା…

ଭଦ୍ରକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି । ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ପଠାଯାଇ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ବାସୁଦେବପୁର ବ୍ଲକର ସମୁଦ୍ରକୂଳିଆ 17ଟି ଗାଁ ଏବଂ ଚାନ୍ଦବାଲି ବ୍ଲକର 29ଟି ଗାଁର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।

ଗଜପତି
ବାତ୍ୟା ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି । ଜିଲ୍ଲାରେ ଏନଡିଆରଏଫର ୨୦ ଜଣିଆ ଟିମ୍ ଓ ଓଡ୍ରାଫର ୩୬ ଜଣିଆ ଟିମ୍ ଜିଲ୍ଲାରେ ପହଞ୍ଚିଛନ୍ତି । ଅଧିକ ପ୍ରଭାବିତ ହେବାକୁ ଥିବା ରାୟଗଡ଼ ଓ ଗୋଷାଣୀ ବ୍ଲକ ଅଞ୍ଚଳକୁ ଦୁଇ ଭାଗ ହୋଇ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ସେହିପରି ଓଡ୍ରାଫ ଟିମକୁ ମଧ୍ୟ ବିଭକ୍ତ କରି ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଅଗ୍ନିଶମ ବିଭାଗର ୧୦ ଟିମକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ ହଟାଇବା ଏବଂ ପାହାଡ଼ ଧସିବାରୁ ଜନଜୀବନକୁ ସୁରକ୍ଷା ଦେବା ପାଇଁ ସଜାଗ ରହିଛି ଉଦ୍ଧାରକାରୀ ଟିମ୍।

ଜଗତସିଂହପୁର

ସେପଟେ ଜଗତସିଂହପୁର ଜିଲ୍ଲାକୁ ବାତ୍ୟା ଭୟ ଘାରିଛି । ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ 45ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜିଲ୍ଲାର ଆଠଟି ବ୍ଲକରେ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି । 6ଟି ଅଗ୍ନିଶମ ଟିମ ସଜାଗ ରଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏରସମା ଅଞ୍ଚଳ ପାଇଁ 5 ଶହ ପଲିଥିନ ରୋଲ ପଠାଯାଉଛି ।

ଗଞ୍ଜାମ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ମଧ୍ୟ ବାତ୍ୟାକୁ ନେଇ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ଲକ୍ କାର୍ଯ୍ୟାଳୟ ପରିସରରେ ତହସିଲଦାର ନିତୀଶ ତ୍ରିପାଠୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତଳିଆ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ବାତ୍ଯା ଆଶ୍ରୟସ୍ଥଳୀରେ ସମସ୍ତ ଆନୁଷଙ୍ଗିକ ବ୍ଯବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରାପଡ଼ା
ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି । ଜିଲ୍ଲାରେ ଗୋଟିଏ ଲେଖାଏଁ NDRF ଓ ODRAF ଟିମ ପହଞ୍ଚିଥିବା ବେଳେ ଜିଲ୍ଲାର ସମସ୍ତ ଅଗ୍ନିଶମ କର୍ମଚାରୀ ସଜାଗ ଅଛନ୍ତି । ଜିଲ୍ଲା ବାହାରୁ ୪ଟି ଅଗ୍ନିଶମ ଟିମ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ସେହିପରି ଜିଲ୍ଲାର ତଟବର୍ତ୍ତି ଅଞ୍ଚଳରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ୍ ବିଭାଗକୁ ମଧ୍ୟ ଆଲର୍ଟ ରହିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧା

ସେହିପରି ବାତ୍ୟା ‘ଜୱାଦ’ ପାଇଁ ଆଲର୍ଟ ରହିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ମୁକାବିଲା ପାଇଁ ଜିଲ୍ଲାରେ ଏନଡିଆରଏଫ ଟିମ ପହଞ୍ଚିଛନ୍ତି । ସମସ୍ତ ସାମଗ୍ରୀ, କଟର, ଆସ୍କା ଲାଇଟ ପ୍ରସ୍ତୁତ ରଖିଛନ୍ତି । ଉଦ୍ଧାରକରୀ ଦଳ ବିଶେଷ କରି ଟାଙ୍ଗୀ, ଓ ଚିଲିକାରେ ନିୟୋଜିତ ହୋଇଛନ୍ତି।

Leave a Reply