କେମିତି ରାଜଧାନୀରେ ଚାଲିଥିଲା କୋକେନ୍ କାରବାର, ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ STF

ଭୁବନେଶ୍ୱର: ରାଜଧାନୀରୁ କୋକେନ୍ ମିଳିବା ଘଟଣା । ରିମାଣ୍ଡରେ ହଟିବ କୋକେନ୍ ଲିଙ୍କ ଉପରୁ ପରଦା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ଏସଟିଏଫ । ଆଜି ମିଳିପାରେ ରିମାଣ୍ଡ ଅନୁମତି । ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଛି । ଅନୁମତି ମିଳିବା ପରେ ସେମାନଙ୍କଠାରୁ ସତ ଉଗାରିବ କ୍ରାଇମବ୍ରାଞ୍ଚ ଏସଟିଏଫ । ରାଜଧାନୀରେ କାହା ଜରିଆରେ କୋକେନ୍ ବିକ୍ରି କରୁଥିଲେ ? କିଏ କିଏ ଥିଲେ ବଡ଼ ଗ୍ରାହକ ? କୋକେନ୍ ସିଣ୍ଡିକେଟରେ ଆଉ କିଏ ରହିଛି ? ପରଦା ପଛରେ କାହାର ରହିଛ ବଡ଼ ହାତ ? ଏପରି ଅନେକ ପ୍ରଶ୍ନର ଉତ୍ତର ଆଦାୟ କରିବ ଏସଟିଏଫ ।

ସେପଟେ ପଦାକୁ ଆସିଲା ଦାମୀ ନିଶାର ବିଦେଶୀ ଲିଙ୍କ । କୋକେନ୍ ମାଫିଆଙ୍କ ରବିର ଟାର୍ଗେଟରେ ରହିଥିଲା ୨୦୨୩ ହକି ବିଶ୍ବକପ । ବେପାର ପାଇଁ ଏବେଠୁ କରିଥିଲେ ରୋଡ ମ୍ୟାପ୍ । ରେଭ ପାର୍ଟିରେ ଡିମାଣ୍ଡ ଥିଲା ଆମେରିକାନ କୋକେନ୍ । ଏହି ରେଭ ପାର୍ଟି ଗ୍ରାହକଙ୍କୁ ଟାର୍ଗେଟ କରି କୋକେନକୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲା ମାଷ୍ଟର ମାଇଣ୍ଡ ରବି । ମାମୁ ପୁଅ ଶନିକୁ ମାଧ୍ୟମ କରି ବଜାରର ଡିମାଣ୍ଡ ବୁଝୁଥିଲା । ଗତ ୧୦ ତାରିଖରେ ଶନିକୁ ଧରି କୋକେନ ପାଇଁ ଡିଲ କରିଥିଲା । ଦିଲ୍ଲୀରେ ତୁର୍କମାନ ଗେଟରେ ରବିର ବିଗବସ୍ ରହୁଥିଲା । ବିଗବସକୁ ଧରିବାକୁ ଦିଲ୍ଲୀ ଏସଟିଏଫ ସହ ଯୋଗଯୋଗ କରିଛି ଓଡ଼ିଶା ଏସଟିଏଫ । ଏପରିକି ଏବେ ଏଫଆଇଏଚ ହକି ପ୍ରୋ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ରବି ଭୁବନେଶ୍ବର ଆସିବା  ଏସଟିଏଫର ସନ୍ଦେହ ବଢ଼ାଇଛି । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ମିଳିବା ପରେ କୋକେନ୍ କାରବାର ପଛରେ ଦକ୍ଷିଣ ଆଫ୍ରିକାର ଲିଙ୍କ ଥିବା ସ୍ପଷ୍ଟ ହୋଇଛି ।