ଘନଉଛି ଯୁଦ୍ଧ ସଂକଟ: ବଢିଲାଣି ପେଟ୍ରୋଲ-ଡିଜେଲ-ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଓ ଋଷ ବିବାଦର ଦଶା ଭୋଗିବ ସାରା ବିଶ୍ୱ । ପେଟ୍ରୋଲ ଓ ଡିଜେଲ ସମେତ ସୁନା ଦର ଆକାଶଛୁଆଁ ହେବାକୁ ଯାଉଛି । ୟୁକ୍ରେନ ଅନେକ ରାଷ୍ଟ୍ରକୁ ତେଲ ଯୋଗାଉଥିବା ବେଳେ ଋଷ ଗ୍ୟାସ୍‌ ବିତରକ ରାଷ୍ଟ୍ର । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଯୋଗୁ ଟଙ୍କା ମୂଲ୍ୟ ବି କମିଛି । ଯେଉଁଥି ପାଇଁ ସୁନା ଉପରେ ନିବେଶକଙ୍କ ନଜର । ଯାହା ମାର୍କେଟକୁ ଅସ୍ଥିର କରିଦେଇଛି । ହୁ ହୁ ହୋଇ ବଢ଼ିଚାଲିଛି ଅଶୋଧିତ ତୈଳଦର । ବ୍ୟାରେଲ ପିଛା ଦର ୯୮ ଡଲାରରେ ପହଞ୍ଚିଲାଣି । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହେବା ଦିନଠାରୁ ତୈଳ ବଜାରରରେ ନିଆଁ ଲାଗିଛି ।

ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ବିବାଦ ଯୋଗୁ ତେଲ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହା ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ଆଡ଼କୁ ସଙ୍କେତ ଦେଇଛି । ଭାରତରେ ବିଶ୍ୱ ବଜାରର ଦରକୁ ଦେଖି ପ୍ରାୟ ପ୍ରତିଦିନ ତେଲ ଦର ପରିବର୍ତ୍ତନ ହୁଏ । କିନ୍ତୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ନଭେମ୍ବର ୬ରୁ ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଯାହା ଡିଲରଙ୍କୁ କ୍ଷତି ଦେବାରେ ଲାଗିଛି । ଯୁଦ୍ଧ ଆଶଙ୍କା ଯୋଗୁ ତେଲଦର ଲିଟର ପିଛା ୭ ଟଙ୍କା ବଢ଼ି ପାରେ।

ସେପଟେ ଟଙ୍କାର ମୂଲ୍ୟ ବ୍ୟାପକ ହ୍ରାସ ଯୋଗୁ ସେନସେକ୍ସ ଖସିବାରେ ଲାଗିଛି । ବିଶ୍ୱ ବଜାରରେ ୧୯୦୦ ଡଲାର ଟପିଲାଣି ସୁନା ଦର । ଫେବ୍ରୁଆରୀ ୪ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୪୯ ହଜାର ୬୫୦ ଟଙ୍କା ଥିଲା । ଆଜି ୪୧୦ ଟଙ୍କା ବଢି ୫୦ ହଜାରରେ ୪୬୦ରେ ପହଞ୍ଚିଛି । ଯୁଦ୍ଧ ଭୟରେ ପୁଞ୍ଜିପତି ମାନେ ସୁନାରେ ନିବେଶ କରୁଛନ୍ତି । ଯୁଦ୍ଧ ଆଶଙ୍କା ନଟଳିଲେ, ଏହା ୬୦ ହଜାର ଟପି ପାରେ ।

ଦେଶର ଅର୍ଥନୀତି ଓ ସରକାର ଚାଲିବାରେ ପେଟ୍ରୋଲ ଦରର ବଡ଼ ଭୂମିକା ଥାଏ । ସେହିପରି ସେୟାର ବଜାରରେ ନିବେଶ ବି ଆର୍ଥିକ କାରବାରକୁ ସ୍ୱାଭାବିକ ରଖିଥାଏ । କିନ୍ତୁ ଅନ୍ତର୍ଜାତୀୟ ବଜାରର ଏହି ଅସ୍ଥିରତା ଭାରତୀୟ ବଜାରକୁ ପ୍ରଭାବିତ କରୁଥିବାରୁ ଦେଶର ଆର୍ଥିକ ବୋଝ ବଢୁଛି ଓ ଋଣ କରିବାର କ୍ଷମତା ସଙ୍କୁଚିତ ହେବାରେ ଲାଗିଛି ।

Leave a Reply