୨୦ ବର୍ଷ ଭିତରେ ଆମେରିକା ଏମିତି ପାକିସ୍ତାନୀ ଜାଲରେ ଫସି ହାରିଗଲା ଆତଙ୍କ ବିରୋଧରେ ଯୁଦ୍ଧ

ଇସଲାମାବାଦ: ୨୦ ବର୍ଷ ତଳେ ଆମେରିକା ଆତଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା । ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଅଲକାଏଦାର ଆତ୍ମଘାତୀ ବିମାନ ଆକ୍ରମଣରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ଆମେରିକା ଆଫଗାନିସ୍ତାନର ପାହାଡି ଭୁଇଁକୁ ବୋମା ମାଡ କରି ଧ୍ୱଂସବିଧ୍ୱସ୍ତ କରିଥିଲା । ପ୍ରଥମ ତାଲିବାନ ଶାସନର ପତନ ଘଟିଥିଲା । ଆମେରିକାର ତୁମେ ଶତ ପ୍ରତିଶତ ଆମ ପଟେ ନହେଲେ ସେପଟେ,ଏହି ଧମକ ପାକିସ୍ତାନକୁ ଆତଙ୍କ ବିରୋଧୀ ଯୁଦ୍ଧରେ ଅଙ୍କଲ ସାମଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ କରିଥିଲା । ପାକିସ୍ତାନ ଆତଙ୍କ ବିରୋଧୀ ଯୁଦ୍ଧ ପାଇଁ ଆମେରିକାଠାରୁ ଆର୍ଥିକ ଓ ସାମରିକ ସାହାଯ୍ୟ ନେଇଥିଲା । ଆମେରିକା ୨୦ ବର୍ଷର ଲମ୍ବା ଯୁଦ୍ଧରେ ୫୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ମଧ୍ୟରୁ 33 ବିଲିୟନ ଡଲାର ପାକିସ୍ତାନକୁ ଯାଇଥିଲା । କିନ୍ତୁ ପାକିସ୍ତାନ ଆମେରିକା ସହିତ ଡବଲ ଗେମ୍ ଖେଳୁଥିଲା । ଯାହା ୨୦୨୧ରେ ତାଲିବାନର ଆଫଗାନିସ୍ତାନ ଉପରେ କବଜାରୁ ପ୍ରମାଣିତ ହୋଇଛି ।

୨୦୧୫ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଯାହା ଟ୍ୱିଟ୍ କରିଥିଲେ ତାହା ପାକିସ୍ତାନର ଅସଲ ମୁଖା ଖୋଲିବା ପାଇଁ ଯଥେଷ୍ଟ । ଟ୍ରମ୍ପ ସେତେବେଳେ ଟ୍ୱିଟ୍ କରିଥିଲେ, ‘‘ ପାକିସ୍ତାନ ଆତଙ୍କ ବିରୋଧରେ ଯୁଦ୍ଧ ନାଁରେ ଆମକୁ ମୁର୍ଖ ବନେଇଛି । ଆମେ ଯେଉଁ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଖୋଜୁଥିଲୁ ସେମାନ ପାକିସ୍ତାନରେ ରହୁଥିଲେ । ସେମାନେ ଆମକୁ କେବଳ ମିଛ କହିବା ଓ ଠକିବା ଛଡା ଆଉ କିଛି ଦେଇ ନାହାନ୍ତି ।’’

ଟ୍ରମ୍ପଙ୍କ ଅନୁସାରେ ପାକିସ୍ତାନ ଆମେରିକା ନେତାଙ୍କୁ ମୁର୍ଖ ବୋଲି ଭାବିଥିଲା । ଟ୍ରମ୍ପଙ୍କ କଥାରେ ସତ ଥିଲା । କାରଣ ଆମେରିକା ଯେଉଁ ଲାଡେନକୁ ଆଫଗାନିସ୍ତାନର ପାହାଡି ଗୁମ୍ଫାରେ ଖୋଜୁଥିଲା ସିଏ ଆବଟାବାଦରେ ସେନା ମୁଖ୍ୟାଳୟଠାରୁ ମାତ୍ର କେଇ ମିଟର ଦୁରରେ ରହୁଥିଲା । ତାଲିବାନ ମୁଖ୍ୟ ମୁଲ୍ଲା ଓମାର ମଧ୍ୟ ପାକିସ୍ତାନୀ ଆତିଥେୟତାର ଆନନ୍ଦ ନେଉଥିଲା ।

ତାଲିବାନ ବିରୋଧୀ ମେଣ୍ଟର ଶେଷ ଠିକଣା ପଂଜଶୀର ଉପତ୍ୟକାରେ ଯେଉଁଦିନ ପାକିସ୍ତାନୀ ଲଢୁଆ ବିମାନ ଆକ୍ରମଣ କରିଥିଲେ ତାହା ଥିଲା ଆମେରିକା ଇତିହାସର ସବୁଠାରୁ ଲଜ୍ଜାଜନକ ଦିନ । କାରଣ ସେଦିନ ପାକିସ୍ତାନ ଆମେରିକା ମୁହଁକୁ ଛେପ ପକାଇଥିଲା । ଗଲା ୨୦ ବର୍ଷ ଧରି ଯେଉଁ ତାଲିବାନର ମୁଳପୋଛ ପାଇଁ ଆମେରିକାଠାରୁ ପାକିସ୍ତାନ ଟଙ୍କା ନେଉଥିଲା ସେହି ତାଲିବାନ ସପକ୍ଷରେ ପାକ୍ ବାୟୁସେନା ଯୁଦ୍ଧକୁ ଓହ୍ଲାଇ ଥିଲା ।

 

୨୦ ବର୍ଷ ତଳେ ଆଫଗାନିସ୍ତାନ ଯେଉଁଠି ଥିଲା ଏବେ ୨୦ ବର୍ଷ ପରେ ବି ସେଇଠି ଅଛି । ୨୦ ବର୍ଷ ତଳେ ଆମେରିକା ଯେଉଁ ତାଲିବାନକୁ ଗାଦିଚ୍ୟୁତ କରି ଯୁଦ୍ଧ ଯିତିଥିଲା ବୋଲି ଭାବୁଥିଲା ଏବେ ସେଇ ତାଲିବାନ ଆଫଗାନିସ୍ତାନର ଭାଗ୍ୟବିଧାତା । ଯାହାର ଅର୍ଥ ହେଉଛି ପାକିସ୍ତାନର ଚକ୍ରବ୍ୟୁହରେ ଆମେରିକା ହାରିଛି ।

ଇତିହାସର ସବୁଠାରୁ ଲମ୍ବ ଯୁଦ୍ଧ ଲଢିବାକୁ ଆମେରିକା ୫୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ପାଇନାହିଁ । ଏହି ୨୦ ବର୍ଷ ମଧ୍ୟରେ ୯ ଲକ୍ଷ ୨୯ ହଜାର ପ୍ରାଣ ହରାଇଛନ୍ତି । ଯାହାଙ୍କ ମଧ୍ୟରେ ଅଛନ୍ତି ୮୪ ହଜାର ଆତଙ୍କବାଦୀ । ଆମେରିକାର ପ୍ରାଇମ୍ ଟାର୍ଗେଟ୍ ଅଲକାଏଦା ଶେଷ ହୋଇନି । ବରଂ ଅଲକାଏଦରୁ ଅଲଗା ହୋଇ ସୃଷ୍ଟି ହୋଇଛନ୍ତି ଆଉ ୧୦ ଆତଙ୍କବାଦୀ ସଂଗଠନ । ୨୦ ବର୍ଷ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ କରିଛନ୍ତି ୩୪ ହଜାର ଆକ୍ରମଣ । ଯେଉଁଥିରେ ମରିଛନ୍ତି ୭୦ ହଜାର ସାଧାରଣ ନାଗରିକ । ନାଇଜେରିଆରୁ ସିରିଆ ସବୁଠି ଏବେ ଇସଲାମିକ ଆତଙ୍କବାଦୀ ସକ୍ରୀୟ । ଗତ ୨୦ ବର୍ଷର ଇତିହାସ କହୁଛି ଆମେରିକା କେମିତି ପାକିସ୍ତାନ ଦ୍ୱାରା ବ୍ୟବହୃତ ହୋଇ ଆତଙ୍କ ବିରୋଧରେ ଯୁଦ୍ଧକୁ ହାରିଛି ।

 

Leave a Reply