ବାତ୍ୟା ‘ୟାସ୍’ ମୁକାବିଲା ନେଇ କେଉଁ ଜିଲ୍ଲାରେ କଣ ରହିଛି ପ୍ରସ୍ତୁତି, ଜାଣନ୍ତୁ…
1 min readଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି ।
ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପର୍ଯ୍ୟାପ୍ତ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆଲୋକ ସହ ବିଦ୍ୟୁତ୍ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୫ ହଜାର ୫୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ୨ ଲକ୍ଷ ୪୮ ହଜାର ୪୯ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ୬୫୧ଟି ଫ୍ରି କିଚେନ୍ ସେଣ୍ଟର କରାଯାଇଛି ।
ଜିଲ୍ଲା ଅନୁଯାୟୀ ସ୍ଥାନାନ୍ତରଣ
ଜିଲ୍ଲା | ଖୋଲା ଥିବା ବାତ୍ୟା ଆଶ୍ରୟସ୍ଥଳୀ | ସ୍ଥାନାନ୍ତରଣ | |
୧ | ବାଲେଶ୍ୱର | ୧୪୧୨ | ୭୯, ୫୫୮ |
୨ | ଭଦ୍ରକ | ୭୭୪ | ୭୩, ୧୦୩ |
୩ | କଟକ | ୭୬୨ | ୧, ୯୧୫ |
୪ | ଜଗତସିଂହପୁର | ୧୭୯ | ୧,୧୧,୧୮୪ |
୫ | ଯାଜପୁର | ୧୨୦ | ୩,୬୨୩ |
୬ | କେନ୍ଦ୍ରାପଡ଼ା | ୮୦୦ | ୬୨,୦୦୯ |
୭ | କେନ୍ଦୁଝର | ୧୨ | ୪୫୩ |
୮ | ମୟୂରଭଞ୍ଜ | ୪୨୭ | ୧୦,୨୮୧ |
୯ | ଢେଙ୍କାନାଳ | ୩୦ | ୯୭୯ |
୧୦ | ପୁରୀ | ୧୬୬ | ୩, ୫୦୦ |
୧୧ | ଖୋର୍ଦ୍ଧା | ୮୪୧ | ୧, ୪୪୪ |
ମୋଟ | ୫୫୨୩ | ୨, ୪୮, ୦୪୯ |
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୩ ଜିଲ୍ଲାରେ ୫୨ଟି ଏନଡିଆରଏଫ୍ ଟିମ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ବାହିନୀ ସହ ୮୬ଟି ଗଛ କାଟିବା ପାଇଁ ଟିମ୍ ମୁତୟନ ହୋଇଛନ୍ତି । ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ସାଟେଲାଇଟ୍ ଫୋନ୍ ଦିଆଯାଇଛି । ଟେଲିକମ୍ ସେବା ବ୍ୟାହତ ହେଲେ ଏହାର ବ୍ୟବହାର କରାଯିବ । ବାତ୍ୟାରେ ଘର ଭାଙ୍ଗିଲେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
ଜୁନ୍ ପ୍ରଥମ ସୁଦ୍ଧା ପ୍ରସବ ତାରିଖ ଥିବା ୪ ହଜାର ୫୧୦ ମହିଳାଙ୍କୁ ଚିହ୍ନଟ କରାଯାଇଛି । ୩୬୫ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ସ୍ଥାନାନ୍ତରଣ ନେଇ ପ୍ରକ୍ରିୟା ଚାଲିଛି । ଆବଶ୍ୟକ ଔଷଧ ସହ ସ୍ୱାସ୍ଥ୍ୟସେବା ନେଇ ଅନ୍ୟ ବ୍ୟବସ୍ଥା କରାଯାଇଛି । ସରକାରୀ ଛୁଟି ବାତିଲ୍ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।