୨୦୨୧ରେ ବଦଳିଛି ସ୍କୁଲର ଶିକ୍ଷା ବ୍ୟବସ୍ଥା, ସ୍ମାର୍ଟ ହୋଇଛି ସ୍ୱାସ୍ଥ୍ୟସେବା

1 min read
How Odisha Bring Changes School Education And Health Sector In 2021

କଡ଼ ଲେଉଟାଉଛି ବର୍ଷ ୨୦୨୧ । ବିଦାୟ ବର୍ଷ ସହ ଓଡ଼ିଶା ଇତିହାସରେ ଲେଖା ହୋଇଛି ଅନେକ ସ୍ୱର୍ଣ୍ଣିମ, ଐତିହାସିକ କାହାଣୀ । ଘରଠୁ ଜଳ, ସ୍ୱାସ୍ଥ୍ୟଠୁ ଶିକ୍ଷା ସବୁ କ୍ଷେତ୍ରରେ ଲୋକଙ୍କୁ ସୁବିଧା ଯୋଗାଇ ଆସିଛନ୍ତି ରାଜ୍ୟ ସରକାର । ଆଉ ୨୦୨୧ ବର୍ଷରେ ସରକାର ଉତ୍ତମ ସ୍ୱାସ୍ଥ୍ୟ ସହ ଗୁଣାତ୍ମକ ଶିକ୍ଷା ପାଇଁ ନେଇଥିଲେ ବଡ଼ ପଦକ୍ଷେପ । 5T ଅଧିନରେ ରାଜ୍ୟରେ ହାଇସ୍କୁଲ୍ ରୂପାନ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସ୍ୱାସ୍ଥ୍ୟକ୍ଷେତ୍ରରେ BSKY ସ୍ମାର୍ଟ କାର୍ଡ ବାଣ୍ଟି ଦେଶରେ ଗୌରବ ଅର୍ଜନ କରିଥିଲା ଓଡ଼ିଶା । ନଜର ପକାଇବା ବର୍ଷ ୨୦୨୧ରେ ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ କେତେ ଆଗେଇଛି ଓଡ଼ିଶା ।

ସ୍ମାର୍ଟ ସ୍କୁଲ କାହାଣୀ

କରୋନା କାଳରେ ବନ୍ଦ ରହିଛି ସ୍କୁଲ୍, ଅନଲାଇନରେ ପାଠ ପଢ଼ୁଛନ୍ତି ପିଲା । ବିଦ୍ୟାଳୟ ବନ୍ଦର ସୁଯୋଗ ନେଇ ସ୍କୁଲକୁ ରୂପାନ୍ତରିତ କରିଛନ୍ତି ଓଡ଼ିଶା ସରକାର । 5T ଅଧିନରେ ରାଜ୍ୟରେ ସ୍କୁଲର ରୂପାନ୍ତରଣ କରାଯାଉଥିବା ବେଳେ ଏବେ ଏହା ପିଲାଙ୍କ ପସନ୍ଦ ପାଲଟିଛି । ସରକାରୀ ବିଦ୍ୟାଳୟରେ ଘରୋଇ ସ୍କୁଲ୍ ଭଳି ଉନ୍ନତ ଭିତ୍ତିଭୂମି ପାଇ ପିଲାଏ ବି ଖୁସ୍ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୫୦ଟି ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିଲା ।

 How Odisha Bring Changes School Education And Health Sector In 2021

ହିଞ୍ଜିଳିକାଟୁରେ ସ୍ମାର୍ଟ ସ୍କୁଲର ସଫଳତା ପରେ ଏବେ ପ୍ରତି ଜିଲ୍ଲାକୁ ବ୍ୟାପିଛି ସ୍ମାର୍ଟ ସ୍କୁଲର କାହାଣୀ । ବ୍ଲାକ ବୋର୍ଡ ବଦଳରେ ସ୍କୁଲ କାନ୍ଥରେ ଲାଗିଛି ସ୍ମାର୍ଟ ବୋର୍ଡ । ସ୍ମାର୍ଟ କ୍ଲାସରୁମ୍ ସହ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ପିଇବା ପାଣି ସହ ଖେଳ ଭିତ୍ତିଭୂମି ବିକଶିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୭୮ଟି ସ୍କୁଲର ରୂପାନ୍ତରଣ ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୨ ବିଜୁ ବାବୁଙ୍କ ଜୟନ୍ତୀ ସୁଦ୍ଧା ଆଉ ୩୩୦୦ ସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ଇନ୍ସୁରାନ୍ସ ନୁହେଁ ଆସୁରାନ୍ସ

ଶିକ୍ଷା ଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ପାଇଁ ଇନ୍ସୁରାନ୍ସ ନୁହେଁ ଆସୁରାନ୍ସ ଭାବେ ରାଜ୍ୟବାସୀଙ୍କୁ ନବୀନ ସରକାର ଭେଟି ଦେଇଛନ୍ତି BSKY ସ୍ମାର୍ଟ ହେଲଥ କାର୍ଡ । ମାଲକାନଗିରିରୁ ଆରମ୍ଭ ହୋଇଥିବା ସ୍ମାର୍ଟ କାର୍ଡ ବଣ୍ଟନ ସାରା ରାଜ୍ୟରେ ସରିଛି । ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏହି BSKY କାର୍ଡରେ ମାଗାଣା ଚିକିତ୍ସା ସେବା ପାଇବେ । ଏଭଳି ଯୋଜନା ପ୍ରଣୟନରେ ସାରା ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

 How Odisha Bring Changes School Education And Health Sector In 2021

ରାଜ୍ୟ ସହ ଦେଶର ବଡ଼ ବଡ଼ ୨ ଶହଟି ହସ୍ପିଟାଲରେ BSKY କାର୍ଡରେ ମାଗଣା ଚିକିତ୍ସା ସେବା ମିଳୁଛି । ପୁରୁଷଙ୍କ ପାଇଁ ୫ ଲକ୍ଷ ଚିକିତ୍ସା ଖର୍ଚ୍ଚ ବ୍ୟବସ୍ଥା ରହିଥିବା ବେଳେ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ମିଳିବ । କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ BSKY ବହୁତ ଭଲ ବୋଲି ସର୍ଭେରୁ ବି ଜଣାପଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼ି ରାଜ୍ୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଉପାନ୍ତ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଛି ।

ଏହାଦ୍ୱାରା ଡାକ୍ତରୀ ଦଳ ହେଲିକପ୍ଟର ମାଧ୍ୟମରେ ରୋଗୀଙ୍କ ପାଖରେ ପହଞ୍ଚି ଚିକିତ୍ସା କରିବେ । ଆବଶ୍ୟକସ୍ଥଳେ ଅଧିକ ଚିକିତ୍ସା ପାଇଁ ରୋଗୀଙ୍କୁ ଏୟାରଲିଫ୍ଟ ବି କରାଯାଇ ପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବେଶ୍ ପ୍ରଶଂସା କରୁଛନ୍ତି ରାଜ୍ୟବାସୀ । ଆଶା ବର୍ଷ ୨୦୨୨ରେ ବି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବ ଓଡ଼ିଶା ।

Leave a Reply