କେନ୍ଦ୍ର ବର୍ଷକୁ ନେଉଛି ୨୦ ହଜାର କୋଟିରୁ ଅଧିକ, ହେଲେ ଓଡ଼ିଶାରେ ହେଉନି ଆଖିଦୃଶିୟା ରେଳ ଉନ୍ନତିକରଣ

1 min read

ଭୁବନେଶ୍ବର: ଜୁଲାଇରେ ରେଳ ବଜେଟ୍ । ଓଡ଼ିଶାରେ ରେଳ ବିକାଶ ନେଇ ପୂର୍ଣ୍ଣାଙ୍ଗ ବଜେଟରେ କ’ଣ ଆସିବ ? କ’ଣ ଚାହୁଁଛନ୍ତି ଲୋକେ ? ଓଡ଼ିଶାରୁ ବାର୍ଷିକ ରେଳ ବିଭାଗ ରୋଜଗାର କରୁଛି ପ୍ରାୟ ୨୦ ହଜାର କୋଟିରୁ ଅଧିକ । ଲଗାତର ୩ ବର୍ଷ ଧରି ଓଡ଼ିଶା ପାଇଁ ୧୦ ହଜାର କୋଟି ବ୍ୟୟ ବରାଦ ହେଉଥିଲେ ବି ରାଜ୍ୟରେ ସେପରି ଆଖିଦୃଶିଆ ବିକାଶ ହୋଇପାରିନି । ଏବେ ବି ରାଜ୍ୟର ୬ ଜିଲ୍ଲାରେ ରେଳ ସଂଯୋଗୀକରଣ ହୋଇପାରିନି । ସୁରକ୍ଷିତ ରେଳ ଯାତ୍ରା, ଅଧପନ୍ତରିଆ ପ୍ରକଳ୍ପ ଓ ମଡେଲ ରେଳ ଷ୍ଟେସନ୍ ନିର୍ମାଣ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ।

ଅନ୍ୟ ରାଜ୍ୟରେ ଯେପରି ରେଳ ବିକାଶ ହୋଇଛି ସେପରି ବିକାଶ ଓଡ଼ିଶାରେ ହୋଇନି । ଲଗାତାର ଦ୍ବିତୀୟ ଥର ପାଇଁ ରେଳମନ୍ତ୍ରୀ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ । ଆସନ୍ତା ମାସରେ ଆସିବ ରେଳ ବଜେଟ୍ । ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଅଶ୍ବିନୀଙ୍କ ଉପରେ ଏଥରକ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟବାସୀଙ୍କର ରହିଛି ଅନେକ ଆଶା ।

ଏବେ ବି ରାଜ୍ୟର ମାଲକାନଗିରି, କନ୍ଧମାଳ, ବୌଦ୍ଧ, ଦେବଗଡ଼ ଓ ସୁବର୍ଣ୍ଣପୁରର ଅଧିକାଂଶ ଅଞ୍ଚଳକୁ ରେଳ ସଂଯୋଗ ହୋଇପାରିନି । ସେହିପରି ପୁରୀ, ଭୁବନେଶ୍ବର, କଟକ ରେଳ ଷ୍ଟେସନକୁ ଅତ୍ୟାଧୁନିକ ମଡେଲ୍ ଷ୍ଟେସନରେ ପରିଣତ କରିବା କାମ ସମ୍ପୂର୍ଣ୍ଣ ହୋଇପାରିନି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ୩୦୧ କିଲୋମିଟର ରେଳ ଲାଇନ୍ ଓ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ରାଜ୍ୟବାସୀ ଦିନ ଗଣୁଛନ୍ତି । ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରୀରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ରେଳ ବଜେଟରେ ଦେଇଥିଲେ ୧୦ ହଜାର ୫୩୬ କୋଟି ଟଙ୍କା । ଯାହାକି ଗତବର୍ଷ ତୁଳନାରେ ୫୨୪ କୋଟି ଅଧିକ । ୨୦୨୩-୨୪ରେ ରାଜ୍ୟ ପାଇଁ ରେଳ ବଜେଟ୍ ଆକାର ଥିଲା ୧୦ ହଜାର ୧୨ କୋଟି ।

ରେଳବାଇର ସ୍ଲୋଗାନ୍ ସେଫ୍ଟି, ସିକ୍ୟୁରିଟି ଓ ପଞ୍ଚୁଆଲିଟି । ହେଲେ ଗତ କିଛିବର୍ଷ ଧରି ଘଟୁଥିବା ରେଳ ଦୁର୍ଘଟଣା ଯୋଗୁଁ ସୁରକ୍ଷିତ ରେଳ ଯାତ୍ରା ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । ଅଟୋମେଟିକ ସିଗନାଲ ଫେଲ କଲେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଏଡ଼ାଇବାକୁ କବଚ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ପୂରା ହୋଇପାରିନି । ଯାତ୍ରୀଙ୍କ ଧନଜୀବନ ସୁରକ୍ଷା ପାଇଁ କବଚ ବ୍ୟବସ୍ଥା ସବୁ ଟ୍ରାକରେ ଲଗାଇବାକୁ ଦାବି ହେଉଛି । ଏହାସହିତ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଥିବା ଟ୍ରାକ୍ଗୁଡ଼ିକର ଉନ୍ନତିକରଣ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବି ଉଠିଛି ଦାବି । ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ସମେତ ଜନଜାତି ଅଞ୍ଚଳରେ ରେଳ ଲାଇନ୍ ବିଛା କାମ କିପରି ତ୍ବାରାନ୍ବିତ ହେବ ସେ ନେଇ ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ ହେବା ଦରକାର ।

ରାଜ୍ୟରେ ନୂଆ ଲାଇନ୍, ଡବଲିଂ ଓ ବିଶେଷ କରି କେବିକେ ଜିଲ୍ଲାରେ ୧୩ଟି ଷ୍ଟେସନ୍କୁ ଉନ୍ନତିକରଣ କରିବାକୁ ଗତ ବଜେଟରେ ବ୍ୟୟବରାଦ ହୋଇଥିଲେ ବି ଏ ପର୍ଯ୍ୟନ୍ତ କାମ ତ୍ବରାନ୍ବିତ ହୋଇପାରିନି । ବଜେଟ୍ ଆକାର ବଢୁଛି ସତ, କିନ୍ତୁ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରା ନଗଲେ ବାସ୍ତବ ବିକାଶ ଏକ ପ୍ରକାର କାଗଜ କଲମରେ ସୀମିତ ରହିଯିବ ।