ବ୍ୟାଙ୍କ ଆକାଉଣ୍ଟରେ ଆପଣ କେତେ ଟଙ୍କା ଜମା କରିପାରିବେ: କେବେ ଆସିଥାଏ ଆୟକର ନୋଟିସ୍
ନୂଆଦିଲ୍ଲୀ: ସାଧାରଣ ଭାବେ ଗ୍ରାହକମାନେ ନିଜର ସଞ୍ଚିତ ଅର୍ଥକୁ ବିଭିନ୍ନ ବ୍ୟାଙ୍କରେ ଥିବ ନିଜ ନିଜର ଆକାଉଣ୍ଟରେ ଡିପୋଜିଟ କରିଥାନ୍ତି । ଆପଣମାନେ ନିଜର ସେଭିଙ୍ଗ ଆକାଉଣ୍ଟରେ ଏକ ଲିମିଟ ପର୍ଯ୍ୟନ୍ତ ଅର୍ଥ ଜମା କରିପାରିବେ ବୋଲି ନିୟମ ରହିଛି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା ଇନକମ ଟ୍ୟାକ୍ସ ବିଭାଗ ଆପଣଙ୍କ ବିତ୍ତୀୟ କାର୍ଯ୍ୟକଳାପ ଉପରେ ଖାସ୍ ନଜର ରଖିଥାଏ । ଆପଣମାନେ ଯଦି ଲିମିଟରୁ ଅଧିକ ଅର୍ଥ ଜମା କରନ୍ତି, ତେବେ ଏପରି ସ୍ଥିତିରେ ଆପଣମାନେ ଆୟକର ବିଭାଗର ରାଡାରକୁ ଆସିପାରନ୍ତି । ଆପଣମାନେ ଏକ ଆର୍ଥିକ ବର୍ଷରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ଜମା କରିପାରିବେ ।
ଆକ୍ସିସ ବ୍ୟାଙ୍କ ମୁତାବକ, ଯଦି ଆପଣ ଗୋଟିଏ ବର୍ଷରେ ୧୦ ଲକ୍ଷରୁ ଅଧିକ ଟଙ୍କା ଜମା କରନ୍ତି, ତେବେ ବ୍ୟାଙ୍କ ନିଜେ ଏହି ସୂଚନା ଆୟକର ବିଭାଗକୁ ଦେଇଥାଏ । ଏପରି ସ୍ଥିତିରେ ଆପଣଙ୍କ ପାଖକୁ ଇନକମ ଟ୍ୟାକ୍ସ ବିଭାଗ ତରଫରୁ ନୋଟିସ ଆସିପାରେ । ଏହି ମାମଲାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇନକମ ଟ୍ୟାକ୍ସ ଅଧିକାରୀ ଆପଣଙ୍କୁ ଇନକମ ସୋର୍ସ ବିଷୟରେ ପଚରାଉଚରା କରିପାରନ୍ତି । ଏହାପରେ ଆପଣଙ୍କୁ ରିଟର୍ଣ୍ଣ ଫାଇଲ କରି ଇନକମ ସୋର୍ସର ସଠିକ୍ ବିବରଣୀ ଦେବାକୁ ପଡ଼ିବ । ଏଥିସହିତ ଆପଣଙ୍କୁ ଚିହ୍ନଟ ହୋଇଥିବା ଟ୍ୟାକ୍ସ ରିଜିମ ହିସାବରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିବ ।