ଓଡ଼ିଶାର କେତେ ଲୋକ ରାଜ୍ୟ ବାହାରେ ଖଟୁଛନ୍ତି ଦାଦନ ? ସରକାରଙ୍କ ପାଖରେ ନାହିଁ ତଥ୍ୟ

ଭୁବନେଶ୍ବର: କେତେ ଅସହାୟ ରାଜ୍ୟର ବିଜେପି ସରକାର। ଓଡ଼ିଶାର କେତେ ଲୋକ ରାଜ୍ୟ ବାହାରେ ଖଟୁଛନ୍ତି ଦାଦନ ? କେତେ ନିର୍ଯାତିତ ହେଉଛନ୍ତି ଓ କେତେ ଜଣଙ୍କ ଜୀବନ ଯାଉଛି ? ରାଜ୍ୟ ସରକାରଙ୍କ ପାଖରେ ନାହିଁ ତଥ୍ୟ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ରାଜ୍ୟର ଦାଦନ ପ୍ରସଙ୍ଗକୁ ନେଇ ନିଜର ଦୁର୍ବଳତା ବଖାଣିଛନ୍ତି ସରକାର। ଶ୍ରମିକ ଦିବସରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ମାନିଛନ୍ତି ଯେ, ଓଡ଼ିଶାର ଦାଦନ ସମ୍ପର୍କରେ ସରକାରଙ୍କ ପାଖରେ ନାହିଁ ଡାଟା। କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ତାର ନାହିଁ ସଠିକ ତଥ୍ୟ। ସରକାରୀ ରେକର୍ଡ ଅନୁସାରେ, ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ସଂଖ୍ୟା ମାତ୍ର ୭୦ ହଜାର। କିନ୍ତୁ ବାସ୍ତବ ଚିତ୍ର ପୂରା ଓଲଟା। ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାକୁ ଦାଦନ ପ୍ରବଣ ବୋଲି ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଦିନ ରାଜ୍ୟ ବାହାରେ ଶ୍ରମିକଙ୍କର ଜୀବନ ଯାଉଛି। ହେଲେ ସରକାର ତଥ୍ୟ ପାଉନାହାନ୍ତି ବୋଲି ମାନିଛନ୍ତି ଶ୍ରମମନ୍ତ୍ରୀ। ସେପଟେ ନୂଆପଡା, ବଲାଙ୍ଗୀର, କଳାହାଣ୍ଡିରୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ସମସ୍ୟାର ସମାଧାନ ପାଇଁ ଟାସ୍କ ଫୋର୍ସ ଗଠନ ସହ ସ୍ବତନ୍ତ୍ର ପଲିସି ଅଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ରାଜ୍ୟ ଓ ଦେଶରେ ଶ୍ରମିକ ବିରୋଧୀ ସରକାର ଚାଲିଥିବା ଅଭିଯୋଗ କରିଛି ବିଜୁ ଶ୍ରମିକ ସାମ୍ମୁଖ୍ୟ। କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ୪ଟି ଶ୍ରମ କୋଡକୁ ବିରୋଧ କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ। ନବୀନ ପଟ୍ଟନାୟକ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୦୭ ଟଙ୍କା ବଢ଼ାଇଥିଲେ। କିନ୍ତୁ ଏବେର ସରକାର ବଢ଼ାଇଲେ ମାତ୍ର ୧୦ ଟଙ୍କା। ଶ୍ରମିକଙ୍କ କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟା ହେଲାଣି। ତେଣୁ ଶ୍ରମିକଙ୍କୁ କିଭଳି ନ୍ୟାୟ ମିଳିବ ସେନେଇ ଯୁକ୍ତି ବାଢ଼ିଛି ବିଜୁ ଶ୍ରମିକ ସାମ୍ମୁଖ୍ୟ। ଅନ୍ୟପଟେ ଶ୍ରମିକଙ୍କୁ ବିଭିନ୍ନ ଉପାୟରେ ଲୁଣ୍ଠନ କରାଯାଉଛି ବୋଲି ଅଭିଯୋଗ କରିଛି ସିଟୁ। ତେଣୁ ପ୍ରଥମେ ଶ୍ରମିକଙ୍କ ସର୍ବନିମ୍ନ ଆବଶ୍ୟକତା ସାଙ୍ଗକୁ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ବୋଲି ଦାବି ହୋଇଛି।