କେମିତି ଓଡ଼ିଶା ରାଜନୀତିକୁ ପ୍ରବେଶ କରିଥିଲେ କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ୱର : ଦୁଇ ହଜାର ବ୍ୟାଚର ଆଇଏଏସ ଅଫିସର କାର୍ତ୍ତିକ ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ଏହି ସମୟରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ ପାଣ୍ଡିଆନ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ପଦକ୍ଷେପ ନେଇଥିଲେ ।  ପରେ ୨୦୦୫-୦୭ ପର୍ଯ୍ୟନ୍ତ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ଏହି ସମୟରେ ଭିନ୍ନକ୍ଷମମାନଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ସମୟରେ ସେ ଜାତୀୟ ପୁରସ୍କାର ପାଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତି । ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ବହୁବାର ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଛି । ଲୋକ କଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଛନ୍ତି । ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି  ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ସେ ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମୁଜରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ । ରାଉରକେଲା ଏଡିଏମ ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ସେ ସମୟରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ ପାଣ୍ଡିଆନ । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୦୨୩ ଅକ୍ଟୋବର ୨୩ ତାରିଖରେ ସେ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ରାଜ୍ଯସରକାର ତାଙ୍କୁ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ ଭାବେ ନିଯୁକ୍ତ କରିଥିଲେ । ଏହାପରେ ସେ ନଭେମ୍ବର ୨୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ ।