ବିଶ୍ୱନାଥ ଆନନ୍ଦ ମାତ୍ର ୪ବର୍ଷରେ ଡି. ଗୁକେଶଙ୍କୁ କଲେ ବିଶ୍ୱ ଚାମ୍ପିୟନ
ନନ୍ଦିଘୋଷ ବ୍ୟୁରୋ : କୁହାଯାଏ ଯଦି ଗୋଟେ ପିଲାକୁ ଗୁରୁ ଭଲ ଏବଂ ପ୍ରେରଣାଦାୟୀ ମିଳିଯାଏ, ତେବେ ଶିଷ୍ୟକୁ ତାର ଲକ୍ଷ୍ୟ ହାସିଲ୍ କରିବାକୁ ଅଧିକ ସମୟ ଲାଗେ ନାହିଁ । ଏମିତି ଏକ ଶିଷ୍ୟଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯିଏ କି ନିକଟରେ ବିଶ୍ବ ଚେସ୍ ଚାମ୍ପିୟନର ଟ୍ରଫି ହାସଲ୍ କରିଛନ୍ତି । ଡି ଗୁକେଶ୍ ଛୋଟ ବେଳୁ ହିଁ ବିଶ୍ବ ଚେସ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଥିଲେ । ତାଙ୍କ ଗୁରୁ ବିଶ୍ବନାଥନ୍ ତାଙ୍କୁ ଏଥିରେ ବହୁତ ସହଯୋଗ ମଧ୍ୟ କରିଥିଲେ । ୧୮ ବର୍ଷର ଡି ଗୁକେଶ ଏବେ ତାଙ୍କ ଗୁରୁ ବିଶ୍ବନାଥନଙ୍କ ରେକର୍ଡ ଭାଙ୍ଗି ସର୍ବ କନିଷ୍ଠ ବିଶ୍ବ ଚେସ୍ ଚାମ୍ପିୟନର ଅଧିକାରୀ ହୋଇପାରିଛନ୍ତି ।
ଗୁରୁବାର ଦିନ ସିଙ୍ଗାପୁରରେ ହୋଇଥିବା ବିଶ୍ବ ଚେସ୍ ଚାମ୍ପିୟନର ନିର୍ଣ୍ଣାୟକ ମ୍ୟାଚରେ ୧୪ ବାଜିରେ ନିଜ ପ୍ରତିଦ୍ବନ୍ଦୀ ଚୀନର ଡିଙ୍ଗ୍ ଲିରେନଙ୍କୁ ହରାଇ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୧୮ ବର୍ଷ ବୟସରେ ବିଶ୍ବବିଜେତା ହେବାର ଗୌରବ ହାସଲ କରିପାରିଛନ୍ତି । ତାଙ୍କର ଏହି ଗୌରବ ଚେସ୍ ଇତିହାସରେ ଏକ ନୂଆ ଯୁଗ ସୃଷ୍ଟି କରିବା ସହ ଚେସ୍ ଖେଳାଳୀଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଛି । ଡି ଗୁକେଶ ଗୁରୁ ବିଶ୍ବ ଚେସ୍ ବିଜେତା ତଥା କିମ୍ବଦନ୍ତୀ ଷ୍ଟାର୍ ଚେସ୍ ଖେଳାଳି ବିଶ୍ବନାଥ ଆନନ୍ଦଙ୍କ କୀର୍ତ୍ତିକୁ ଆଗକୁ ବଢାଇବେ । ବିଶ୍ବନାଥ ଆନନ୍ଦଙ୍କ ପରେ ଡି ଗୁକେଶ ଏହି ଟ୍ରଫି ହାସଲ କରିଥିବା ଦ୍ବିତୀୟ ଭାରତୀୟ । କିମ୍ବଦନ୍ତୀ ଷ୍ଟାର୍ ଚେସ୍ ଖେଳାଳି ବିଶ୍ବନାଥ ଆନନ୍ଦ ତାଙ୍କ କ୍ୟାରିୟରରେ ମୋଟ ୫ ଥର ଏହି ଟ୍ରଫି ହାସଲ କରିଛନ୍ତି । ୫୫ବର୍ଷୀୟ ବିଶ୍ବନାଥ ଆନନ୍ଦ ଚେନ୍ନାଇର ତାଙ୍କ ଚେସ୍ ଏକାଡେମୀରେ ଡି ଗୁକେଶଙ୍କ ପ୍ରତିଭାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ମାତ୍ର ୪ବର୍ଷରେ ତାଙ୍କୁ ବିଶ୍ବ ଚେସ୍ ଚାମ୍ପିୟନର ଟାଇଟଲ୍ ହାସିଲ୍ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।
ଡି. ଗୁକେଶ ୧୪ବାଜିର ଏହି ମୁକାବିଲାର ଶେଷ ବାଜିରେ ଜରୁରୀ ଥିବା ୭.୫ ପଏଣ୍ଟ ସଂଗ୍ରହ କରି ଥିବା ବେଳେ ଲିରେନ୍ ୬.୫ ପଏଣ୍ଟ ପାଇଥିଲେ । ଖେଳଟି ଧୀରେ ଧୀରେ ଡ୍ର ଆଡକୁ ଯାଉଥିବା ଭଳି ଲାଗୁଥିବା ବେଳେ ଡି ଗୁକେଶ ଶେଷ ବାଜିରେ୭.୫ ପଏଣ୍ଟ କରି ଜିତିଯାଇଥିଲେ । ଏହି ଟାଇଟଲ୍ ଜିତିବା ପରେ ଡି. ଗୁକେଶଙ୍କୁ ୨୫ ଲକ୍ଷ ଡଲାରରୁ ୧୩ ଲକ୍ଷ ଡଲାର୍ ଟଙ୍କା ମିଳିଥିଲା । ଚେନ୍ନାଇର ଡି.ଗୁକେଶ ଏହି ଐତିହାସିକ ବିଜୟ ପରେ କହିଛନ୍ତି ଯେ , ମୁଁ ଗତ ୧୦ବର୍ଷ ଧରି ଏହି ମୂହୂର୍ତ୍ତ୍ବର ସ୍ବପ୍ନ ଦେଖିଆସୁଥିଲି । ମୁଁ ବହୁତ ଖୁସି ଯେ , ବାସ୍ତବରେ ମୋର ସ୍ବପ୍ନକୁ ମୁଁ ସତରେ ପରିଣତ କରିଛି । ମୁଁ ଟିକିଏ ଭାବପ୍ରବଣ ହୋଇଯାଉଛି କାରଣ ମୁଁ ଆଶା କରିନଥିଲି ଜିତିବି ବୋଲି । କିନ୍ତୁ ମୋତେ ଆଗକୁ ବଢିବାର ସୁଯୋଗ ମିଳିଲା । ଜିତିବା ପରେ ଗୁକେଶ ମୁହଁରେ ଖୁସିର ଏକ ବଡ ହସ ତାଙ୍କ ମୁହଁରେ ଦେଖିବାକୁ ମିଳିଥିଲା । ତେବେ ୪ ଘଣ୍ଟାର ଏହି ମ୍ୟାଚର ୫୫ତମ ଚାଲ୍ ରେ ଗୁକେଶଙ୍କ ପ୍ରତିଦ୍ବନ୍ଦ୍ବୀ ଡିଙ୍ଗ୍ ଲିରେନ୍ ଏକ ଭୁଲ୍ କରିଦେଇଥିଲେ ସେ , ଚେସର ହାତୀ ଗୋଟିକୁ ଅଦଳବଦଳ କରିଥିଲେ । ଗୁକେଶ ଏହି ଗୋଟି ଚାଳନାର ତୁରନ୍ତ ଫାଇଦା ଉଠେଇଥିଲେ । ଏବଂ ତା ପରର ୩ଟି ବାଜିରେ ହିଁ ଖେଳ ଶେଷ ହୋଇଗଲା । ଚଳିତ ବର୍ଷର ପ୍ରଥମ ମାସରେ ହିଁ ଗୁକେଶ କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ବିଶ୍ବ ଚେସ୍ ଚାମ୍ପିୟନ ଟାଇଟଲ୍ ଚ୍ୟାଲେଞ୍ଜ କରିଥିବା ସେ ସବୁଠୁ କନିଷ୍ଠ ଖେଳାଳୀ ଥିଲେ ।
ତେବେ ଗୁକେଶ ୨୯ ମେ ୨୦୦୬ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଡାକ୍ତର ଥିବା ବେଳେ ମାଆ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଅଟନ୍ତି ।