ଦୁର୍ଘଟଣା ପୂର୍ବରୁ କେମିତି ଥିଲା ବସ୍ ଭିତର ସ୍ଥିତି, ଜାଣନ୍ତୁ ପୁରା ଘଟଣାକ୍ରମ

ଦିଗପହଣ୍ଡି: ତପ୍ତପାଣି ବସ୍‌ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସରିଛି । ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେତେକଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଆଉ କିଛି ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ହେଲେ ଏତେବଡ଼ ଦୁର୍ଘଟଣା ହେଲା କେମିତି ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଜାଣନ୍ତୁ  ପୁରା ଘଟଣା କ୍ରମ କେମିତି ହୋଇଥିଲା ଦୁର୍ଘଟଣା ? ଦୁର୍ଘଟଣା ପୂର୍ବରୁ ଯାତ୍ରୀ ଓ ଡ୍ରାଇଭର କ’ଣ କରୁଥିଲେ ?

ନୟାଗଡ଼ର ଏକ ଘରୋଇ ବସ୍‌ ମାରୁତି  । ରାୟଗଡ଼ାରୁ ଯାତ୍ରୀମାନଙ୍କୁ ନେଇ ରାତି ପ୍ରାୟ ୯ଟା ୨୦ ମିନିଟ୍‌ ସମୟରେ ବାହାରିଥିଲା ।  ଭୋର ୩ଟା ୧୦ କି ୧୫ ସମୟରେ ହୋଇଥିଲା ଦୁର୍ଘଟଣା । ଗଞ୍ଜାମ ଗଜପତି ସୀମାନ୍ତ  ପାଟପୁର ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ହେଲା ଦୁର୍ଘଟଣା । ୧୫୦ ଫୁଟ ତଳକୁ ଖସିପଡ଼ିଲା ବସ୍‌ ।

ସୂଚନା ଅନୁସାରେ, ବସ୍‌ରେ ସମସ୍ତ ଯାତ୍ରୀ ଶୋଇପଡ଼ିଥିବା ବେଳେ କିଛି ଯାତ୍ରୀ ଦୁର୍ଘଟଣା ପୂର୍ବର ଆଭାସ ପାଇଥିଲେ । ସେଥିପାଇଁ ଡ୍ରାଇଭରକୁ ଗାଡ଼ିରେ ବ୍ରେକ୍‌ ଲଗାଇବାକୁ କହିଥିଲେ ।

କିନ୍ତୁ ଗାଡ଼ିର ବେଗ ସାମାନ୍ୟ ଅଧିକ ଥିବାରୁ ଏବଂ କୁହୁଡ଼ିରେ କିଛି ନ ଦିଶିବାରୁ ଡ୍ରାଇଭର ବ୍ରେକ୍‌ ମାରିବା ଫଳରେ ଗାଡ଼ିଟି ପ୍ରଥମେ ଗଛରେ ପିଟି ହୋଇଥିଲା ପରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ।

ଯାତ୍ରୀମାନଙ୍କ କହିବା ଅନୁଯାୟୀ, ଗାଡ଼ିକର ବ୍ରେକ୍‌ରେ କୌଣସି ତ୍ରୁଟି ଅଛି କହି ଡ୍ରାଇଭର ପ୍ରଥମେ ଅଧା ରାସ୍ତାରେ ଗାଡ଼ିକୁ ରଖି ଦେଇଥିଲେ ।  ସବୁ ଯାଞ୍ଚ କଲା ପରେ ଦିଗପହଣ୍ଡିରେ ଗାଡ଼ି ରଖି ମରାମତି କରାଯିବ ବୋଲି କହିଥିଲେ ଡ୍ରାଇଭର ।

ଏହାପରେ ଡ୍ରାଇଭର ଜଣଙ୍କ ସମସ୍ତଙ୍କୁ ଆସ୍ୱସ୍ତି ଦେଇ ବସ୍‌ ଆଗକୁ ଗଡ଼ିଥିଲା । କିନ୍ତୁ ଅଧା ରାସ୍ତାରେ ହୋଇଥିଲା ଦୁର୍ଘଟଣା ଗ୍ରସ୍ତ ।

କିଛି ଯାତ୍ରୀ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା କହୁଥିବା ବେଳେ ଆଉ କିଛି ଯାତ୍ରୀ ଏବଂ ସ୍ଥାନୀୟ ଲୋକେ କୁହୁଡ଼ି ପାଇଁ ଏହି ଦୁର୍ଘଟଣା ହୋଇଛି ବୋଲି କହିଛନ୍ତି  । ହେଲେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ସଠିକ ତଦନ୍ତ ପରେହିଁ ଜଣାପଡ଼ିବ ।

Leave a Reply