ଅସୁରକ୍ଷିତ ଲିଙ୍ଗରାଜ ମନ୍ଦିର: ଉଡ଼ିଲା ପୁଳା ପୁଳା ଡ୍ରୋନ, ଦେଖଣାହାରି ସାଜିଲା ପୋଲିସ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ନୋ ଫ୍ଲାଇଁ ଜୋନ ହୋଇଥିଲେ ବି ଉଡ଼ିଲା ଡ୍ରୋନ । ୧୦ରୁ ଅଧିକ ଡ୍ରୋନ ଉଡିଥିଲେ ବି ଜାଣି ପାରିଲାନି ପୋଲିସ । ଯାହା ପୋଲିସ ପ୍ରଶାସନ ଓ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି । ଏବେ ପ୍ରଶ୍ନ ଉଠୁଛି ଯଦି ଡ୍ରୋନ ଦ୍ୱାରା କିଛି ବଡ଼ ଅଘଟଣ ଘଟିଥାନ୍ତା ତେବେ ଏଥିପାଇଁ କିଏ ହୋଇଥାନ୍ତା ଦାୟୀ ? ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ, ପ୍ରତ୍ନତତ୍ତ୍ୱବିତ ଓ ସାଧାରଣ ଲୋକେ ।
ସକାଳୁ ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା । ହେଲେ ଭିଡ଼ ପରିଚାଳନାରେ ପୋଲିସ ପ୍ରଶାସନ ବିଫଳ । ଦିନ ସାରା ସୁରକ୍ଷା ବ୍ୟବସ୍ଥାର ଧଜିଆ ଉଡି଼ଥିବା ନେଇ ଭିଡିଓ ଭାଇରାଲ ଓ ମହିଳା ଭକ୍ତଙ୍କ ଆକ୍ରୋସ ହିଁ ବୟାନ କରିଥିଲା ଜାଗର ଦିନ ପୋଲିସ ପ୍ରଶାସନର ପାରିବାପଣିଆ । ନିଜେ ଜିଲ୍ଲାପାଳ ଓ ଭୁବନେଶ୍ୱର ଡିସିପି ମଧ୍ୟ ଭକ୍ତଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ ।
ସନ୍ଧ୍ୟା ହେବା ପରେ ଲିଙ୍ଗରାଜ ମନ୍ଦିର ଉପରେ ଉଡିଥିଲା ୧୦ରୁ ଊର୍ଦ୍ଧ୍ବ ଡ୍ରୋନ । ସୋଶିଆଲ ମିଡ଼ିଆ ଫେସବୁକ, ଏକ୍ସ ଓ ଇନଷ୍ଟାଗ୍ରାମରେ ପୋଷ୍ଟ ଓ ଭିଡିଓ ଅପଲୋଡ଼ ହେଲା । ନୋ ଫ୍ଲାଇଙ୍ଗ ଜୋନ ହୋଇ ବି ବିନା ବାଧରେ ଡ୍ରୋନରେ ଭିଡିଓ ରେକର୍ଡ କରି ଲୋକେ ସୋଶିଆଲ ମିଡିଆରେ ପୋଷ୍ଟ କଲେ । ଆଉ ସରକାର ଏବଂ ପୋଲିସ ପ୍ରଶାସନ ଦେଖଣାହାରି ସାଜିଲା ।
କିଛିଦିନ ତଳେ ଲିଙ୍ଗରାଜ ମନ୍ଦିର ବେଢାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାକୁ ନେଇ ତୁମ୍ବି ତୋଫାନ ହୋଇଥିଲା । ସେହିଭଳି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଅଭିଯୋଗରେ ଥାନାରେ ଏତଲା ହେବା ସହ କୋଲକାତାର ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଥିଲା । ମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସେତେବେଳେ ଗୁଇନ୍ଦା ପକ୍ଷରୁ ଆଲର୍ଟ କରାଯାଇଥିଲା । ସଦାସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ଲିଙ୍ଗରାଜ ମନ୍ଦିର ଓ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା ଘଟଣାକୁ ସାଧାରଣରେ ଗ୍ରହଣ କରାଯାଇନାହିଁ । ସାଇବର ଏକ୍ସପର୍ଟଙ୍କ କହିବା ମୁତାବକ ନୋ ଫ୍ଲାଇଁ ଜୋନରେ ଯଦି ଡ୍ରୋନ ଉଡୁଛି, ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ଜାମର ଲଗାଯାଇ ଡ୍ରୋନର୍ ମୁଭମେଣ୍ଟକୁ ଜାମ କରାଯାଇପାରିବ । ଅଥବା ଲେଜର ଲାଇଟ ସହାୟତରେ ଡୋନର ସେନସରକୁ ଡାଉନ କରାଯାଇପାରିବ । ହେଲେ ପୋଲିସ ଏପରି କିଛି କରି ନକରି କେବଳ ଦେଖଣାହାରି ସାଜିଥିଲା ବୋଲି ଅଭିଯୋଗ ହୋଇଛି ।
ପ୍ରଶାସନ ପକ୍ଷରୁ ଜଦି ଫଟୋଗ୍ରାଫି ପାଇଁ କୌଣସି ଇଭେଣ୍ଟ ବା ପର୍ବରେ ଭିଡିଓ ଗ୍ରାଫିରେ ଡ୍ରୋନର ଆବଶ୍ୟକତା ପଡ଼େ, ତେବେ ତାର ସିଗ୍ନାଲକୁ ବାଦ ଦେଇ ମଧ୍ୟ ଅନ୍ୟ ଡ୍ରୋନକୁ ହଟା ଯାଇପାରିବ । ଯଦି ଖାମାଖିଆଲି ଭାବେ ଉଡା ଯାଉଥିବା ଡ୍ରୋନ ଦ୍ୱାରା ବୋମା ବିସ୍ଫୋରଣ ହୁଏ, ତେବେ ଏଭଳି ପରିସ୍ଥିତିକୁ କିଭଳି ସାମ୍ନା କରିବ ପ୍ରଶାସନ ତାହା ଏବେ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।