କେମିତି ପୁଅକୁ ମାରିଥିଲେ ସୁଚନା ସେଠ୍, ପୋଷ୍ଟମର୍ଟମ ରିପୋର୍ଟରୁ ଖୁଲାସା…

1 min read

ବେଙ୍ଗାଲୁରୁ: ଖୁଲାସା ହେବାରେ ଲାଗିଛି ସୁଚନା ସେଠଙ୍କ ସନ୍ତାନ ହତ୍ୟା ରହସ୍ୟ। ୪ ବର୍ଷର ପୁଅକୁ ମାରିବା ଲାଗି ବ୍ୟବହାର କରିଥିଲେ ତକିଆ କିମ୍ବା ଟାଓ୍ବେଲ। ଏନେଇ ସୂଚନା ଦେଇଛନ୍ତି ଡାକ୍ତର। ଗୋଆର ଏକ ହୋଟେଲରେ ହୋଇଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଅକୁ ମାରିବା ଲାଗି ମା’ ଯୋଜନା କରିଥିଲେ। ହୋଟେଲ ରୁମରୁ କିଛି ଖାଲି କଫ ସିରପ ବୋତଲ ଜବତ ହୋଇଛି।

ଗତ ସୋମବାରେ ଏହି ଲୋମହର୍ଷକ ହତ୍ୟା ଘଟଣାରେ କର୍ଣ୍ଣାଟକର ଚିତ୍ରଦୁର୍ଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସିଇଓ ସୁଚନା ସେଠଙ୍କୁ କରାଯାଇଥିଲା ଗିରଫ। ହିରିୟୁର ତାଲୁକ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଡାକ୍ତର କୁମାର ନାୟକ କହିଛନ୍ତି- ଶିଶୁକୁ ହତ୍ୟା କରାଯାଇଥିବା ସମ୍ପର୍କରେ ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତାକୁ ତକିଆ କିମ୍ବା ଏକ ଟାଓ୍ବେଲରେ ଚିପି ହତ୍ୟା କରାଯାଇଛି ଯାହାକୁ ରିଗର ମୋର୍ଟିସ କୁହାଯାଏ। ଶବ ଜବତ ହେବାର ୩୬ ଘଣ୍ଟା ପୂର୍ବରୁ ତାକୁ ହତ୍ୟା କରାଯାଇଥିଲା । ପୁତ୍ରକୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ ସୁଚନା ।

ସେପଟେ ଜାକର୍ତ୍ତାରୁ ଗତକାଲି ଫେରିଛନ୍ତି ମୃତ ଶିଶୁର ବାପା । ଭେଙ୍କଟ ରମଣ ଚିତ୍ରଦୁର୍ଗରେ ପହଞ୍ଚି ନିଜ ବୟାନ ଦାଖଲ କରିଛନ୍ତି । ସେପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥଳ ଉତ୍ତରଗୋଆର କାଣ୍ଡୋଲିମରେ ସାଧାରଣ ଲୋକଙ୍କ ଚଳାଚଳ ଉପରେ କଟକଣା ଲଗାଯାଇଛି । ଗୋଆର ମାପୁସା ଟାଉନସ୍ଥିତ କୋର୍ଟ ସୁଚନାଙ୍କୁ ୬ ଦିନ ଲାଗି ପୋଲିସ ହେପାଜତକୁ ପଠାଇବା ଲାଗି ଅନୁମତି ଦେଇଛନ୍ତି।

ସୁଚନା ଥିଲେ ମାଇଣ୍ଡଫୁଲ ଏଆଇ ଲ୍ୟାବର ସିଇଓ। ସୁଚନାଙ୍କ ବିବାହ ୨୦୧୦ରେ ହୋଇଥିଲା। ତେବେ ବିବାହ ପରେ ସେମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ଯୁକ୍ତିତର୍କ ଲାଗୁଥିଲା। ରବିବାର ପୁତ୍ରକୁ ଭେଟିବା ଲାଗି ବାପାଙ୍କୁ ଅନୁମତି ଦେଇଥିଲେ କୋର୍ଟ। ଗତ ୭ ତାରିଖରେ ସେ ଜାକର୍ତ୍ତାରେ ଥାଇ ପୁଅ ସହ ଭିଡିଓ କଲରେ ଦେଖାସାକ୍ଷାତ କରିଥିଲେ। ତେବେ ଏହାକୁ ନେଇ ଅସୁଖୀ ଥିଲେ ସୁଚନା । ସୂଚନା ସେଠ ଏଆଇ ଏଥିକ୍ସ ୨୦୨୧ ପକ୍ଷରୁ ଟପ୍ ୧୦୦ ବ୍ରିଲିଆଣ୍ଟ ଓମେନ୍ ଭାବେ ବିବେଚିତ ହୋଇଥିଲେ। ସୂଚନା ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ସହ ସଂସ୍କୃତରେ ଏକଦା ଟପ୍ପର ଥିଲେ। ଦୀର୍ଘ ୧୨ ବର୍ଷ ଧରି ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ସୁଚନା ସେଠ୍। ସୁଚନାଙ୍କ ପୂର୍ବତନ ସ୍ବାମୀ ବର୍ତ୍ତମାନ ଇଣ୍ଡୋନେସିଆରେ ଏଆଇ ଡେଭଲପର ଅଛନ୍ତି। ଆଜି ବେଙ୍ଗାଳୁରୁର ହରିଶ୍ଚନ୍ଦ୍ର ଘାଟରେ ମୃତ ଶିଶୁର ହୋଇଛି ଶେଷକୃତ୍ୟ।