ଓଡ଼ିଶାରେ ନାହିଁ ଜାତିଗତ ରାଜନୀତି: ୨୦୩୬ ବେଳକୁ ହେବ ଦେଶର ଏକ ନମ୍ବର ରାଜ୍ୟ

1 min read

ନୂଆଦିଲ୍ଲୀ: ଓଡ଼ିଶାରେ ନାହିଁ ଜାତିଗତ ରାଜନୀତି । ଦିନେ ବିହାରଠାରୁ ପଛରେ ଥିବା ଓଡ଼ିଶା ଆଜି ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ବିହାରକୁ ପଛରେ ପକାଇଛି । ଜାତୀୟସ୍ତରରେ ଏକ ଆଲ୍ଲେଖ୍ୟରେ ଏହା ଲେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟା ଡ. ଶମିକା ରବି । ମହିଳା ସଶକ୍ତିକରଣ, ଯୁବକଙ୍କୁ ରୋଜଗାର, ଚାଷୀଙ୍କ ଆୟବୃଦ୍ଧି ଓ ମୁଣ୍ଡପିଛା ଆୟ ଦୁଇଗୁଣ କରିବାରେ ଦେଶର ଅନ୍ୟ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଏପରି ବିକାଶଧାରା ଜାରି ରହିଲେ ୨୦୩୬ ବେଳକୁ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟରେ ପରିଗଣିତ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ଓଡ଼ିଶାରେ ବିକାଶକୁ ନେଇ ପୁଣି ଥରେ ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ମହିଳାଙ୍କ ଆର୍ଥିକ ଉନ୍ନତି, ଚାଷୀଙ୍କ ଆୟବୃଦ୍ଧି, ମୁଣ୍ଡପିଛା ଆୟ ଦୁଇଗୁଣ କରିବାରେ ବିହାରକୁ ପଛରେ ପକାଇଛି ଓଡ଼ିଶା । ଜାତୀୟସ୍ତରରେ ଏପରି ଆଲ୍ଲେଖ୍ୟ ଲେଖି ଓଡ଼ିଶାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟା ପ୍ରଫେସର ଡ. ଶମିକା ରବି । ଓଡ଼ିଶାରେ କେବେ ବି ଜାତିଗତ ରାଜନୀତି ହୋଇନାହିଁ । ବିହାରରେ ସ୍ଥିତି ଠିକ୍ ଏହାର ଓଲଟା । ଜାତିଗତ ରାଜନୀତି ଯୋଗୁଁ ବିହାରରେ ଆର୍ଥିକ ଅଭିବୃଦ୍ଧି ସମ୍ଭବ ହୋଇପାରିନି । ବିହାର ସହିତ ଓଡ଼ିଶାକୁ ତୁଳନା କରିଛନ୍ତି ଡ. ଶମିକା ରବି । ଦିନଥିଲା ୧୯୯୧ରେ ବିହାରଠାରୁ ପଛରେ ଥିଲା ଓଡ଼ିଶା । କିନ୍ତୁ ଆଜି ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି । ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟଙ୍କ ଏପରି ଦାବି ଓଡ଼ିଆଙ୍କ ପାଇଁ ଗର୍ବ ଆଣିଛି । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠୁ ସବୁ କ୍ଷେତ୍ରରେ ଓଡ଼ିଶା ପ୍ରଗତି କରିଚାଲିଛି । ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ମହିଳା ସଶକ୍ତିକରଣ, ଯୁବବର୍ଗଙ୍କୁ ରୋଜଗାର, ଚାଷୀଙ୍କ ଆୟ ସମେତ ମୁଣ୍ଡପିଛା ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ସୃଷ୍ଟି କରିଛି ନୂଆ ଉଦାହରଣ । ମହିଳାଙ୍କ ଆର୍ଥିକ ବିକାଶ ସମ୍ଭବ ହେଲେ ପରିବାର ଓ ରାଜ୍ୟ ସମୃଦ୍ଧ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ଦିନଠାରୁ ମହିଳା ସଶକ୍ତିକରଣକୁ ଜୋର ଦେଇଛନ୍ତି । ଆଜି ଓଡ଼ିଶା ଅର୍ଥନୈତିକ ପରିଚାଳନାରେ ଏକ ନମ୍ବର ବୋଲି ଖୋଦ ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି, ନୀତି ଆୟୋଗ ଓ ଅନ୍ତରାଷ୍ଟ୍ରୀୟସ୍ତରରେ ଆର୍ଥିକ ଏଜେନ୍ସି କହିସାରିଛନ୍ତି । ରାଜ୍ୟର ସବୁ ବର୍ଗର ଲୋକଙ୍କ ସମ ବିକାଶକୁ ଜୋର ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟା ଓଡ଼ିଶାକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ।

ଓଡ଼ିଶାରେ ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା, ଶିଳ୍ପ ବିକାଶ କ୍ଷେତ୍ରରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । 5T ଉପକ୍ରମ ପ୍ରଶାସନର ଉତ୍ତରଦାୟିତ୍ବକୁ ବଢାଇବା ସହିତ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବାର ମାର୍ଗକୁ ପ୍ରଶସ୍ତ କରିଛି। ବିହାର ସହିତ ତୁଳନା କରି ଓଡ଼ିଶାର ପ୍ରଗତିକୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ମୋହର ମାରିଥିବା ଚର୍ଚ୍ଚା ହେଉଛି ।