ଦ୍ୱିତୀୟ ପର୍ଯ୍ୟାୟରେ କେମିତି ଲାଗୁ ହୋଇପାରେ ଲକ୍‌ଡାଉନ୍‌? ପଢ଼ନ୍ତୁ ଏହି ରିପୋର୍ଟରେ..

1 min read

ଭୁବନେଶ୍ୱର: ଜୀବନ ଯୁଦ୍ଧରେ ବାଜି ଲାଗିଛି ଦେଶର ଅର୍ଥ ବ୍ୟବସ୍ଥା । ଏଭଳି ସ୍ଥିତିରେ ଦେଶରେ ବଢ଼ିବ କି ଲକ୍‌ଡାଉନ୍‌ ? ଦ୍ୱିତୀୟ ପର୍ଯ୍ୟାୟରେ କିଭଳି ଲାଗୁ ହେବ ଲକ୍‌ଡାଉନ୍‌ ? ଏପ୍ରିଲ ୧୪ ପରେ ଦେଶରେ ଲକ୍‌ଡାଉନ୍‌ ବଢ଼ିବ କି ନାହିଁ, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି । ତେବେ କରୋନା ସଂକ୍ରମଣ ବିପଦ ଭିତ୍ତିରେ ଦେଶକୁ ୩ଟି ଜୋନ୍‌ରେ ଭାଗ କରି ତାଲାବନ୍ଦ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

କରୋନା ମୁକାବିଲା ପାଇଁ କ’ଣ ରହିବ ପରବର୍ତ୍ତୀ ରୋଡ୍‌ମ୍ୟାପ୍‌? ଦେଶରେ ବଢ଼ିବ କି ଲକ୍‌ଡାଉନ୍‌? ଏପ୍ରିଲ ୧୪ ପରେ କେମିତି ହେବ ଲକ୍‌ଡାଉନ୍‌ର ରୂପରେଖ? ଜୀବନ ଯ଼ୁଦ୍ଧରେ ଯୁଝୁଛି ଦେଶ । ବାଜି ଲାଗିଛି ରୋଜଗାର, ପୂରା ଅର୍ଥ ବ୍ୟବସ୍ଥା। ତେଣୁ ଚର୍ଚ୍ଚା ହେଉଛି, ଦ୍ୱିତୀୟ ପର୍ଯ୍ୟାୟରେ କିଛି ସର୍ତ୍ତ ସହିତ ଲକ୍‌ଡାଉନ୍‌ ଅବଧି ବଢ଼ିପାରେ ।

କରୋନା ସଂକ୍ରମଣ ବିପଦକୁ ଆଖିରେ ରଖି ଦେଶକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ରେ ଭାଗ କରାଯିବାର ସମ୍ଭାବନା ଅଛି । ଆଦୌ ଆକ୍ରାନ୍ତ ନଥିବା ଅଞ୍ଚଳକୁ ଗ୍ରୀନ୍‌ ଜୋନ୍‌, ଅଧିକ ସଂକ୍ରମିତ ଥିବା ଅଞ୍ଚଳକୁ ରେଡ୍‌ ଓ ଅଳ୍ପ ଆକ୍ରାନ୍ତ ଥିବା ଅଞ୍ଚଳକୁ ଅରେଞ୍ଜ ଜୋନ୍‌ରେ ରଖାଯାଇପାରେ । ରେଡ୍‌ ଜୋନ୍‌ରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁହେବ ।

ସେହିପରି କମ୍‌ ସଂଖ୍ୟକ କରୋନା ଆକ୍ରାନ୍ତ ଥିବା ତଥା ସଂକ୍ରମଣ ଆଶଙ୍କା କମ୍‌ ଥିବା ଅଞ୍ଚଳକୁ ଅରେଞ୍ଜ ଜୋନ୍‌ ଘୋଷଣା କରାଯାଇପାରେ । ଏହି ଅଞ୍ଚଳରେ ସୀମିତ ପରିବହନ ସେବା, ଚାଷକାମ କରିବାକୁ ସରକାର ଅନୁମତି ଦେଇପାରନ୍ତି ।

ସେହିପରି ଗ୍ରୀନ୍‌ ଜୋନ୍‌ରେ ଅଳ୍ପ କିଛି କଟକଣା ସହ କରୋନା ସଂକ୍ରମଣ ରୋକିବାକୁ ମୌଳିକ ନିୟମ ମାନିବାକୁ ପଡ଼ିବ ବୋଲି ସୂଚନା ମିଳିଛି । ଗ୍ରୀନ୍‌ ଜୋନ୍‌ରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ପାଇଁ ସରକାର କୋହଳ ବ୍ୟବସ୍ଥା କରିପାରନ୍ତି ।

ସେହିପରି ସରକାରୀ କାର୍ଯ୍ୟାଳୟରେ ପୂର୍ବ ଭଳି କାମ ପାଇଁ ବ୍ୟବସ୍ଥା ହୋଇପାରେ। ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ବିମାନ ଓ ଟ୍ରେନ୍‌ ସେବା ନେଇ କଟକଣା କୋହଳ ହୋଇପାରେ । ତେବେ ଯାତ୍ରୀ ସଂଖ୍ୟା ସୀମିତ ରହିବ। ଏପ୍ରିଲ ୧୪ ପରେ ସ୍କୁଲ, କଲେଜ ବନ୍ଦ ରହିପାରେ । ମଦ ଦୋକାନ ଖୋଲିପାରେ । ତେବେ ମଲ୍‌ ଓ ରେସ୍ତୋରାଁ ଖୋଲାଯିବନି ।

କରୋନା ସଂକଟକୁ ଦୃଷ୍ଟିରେ ରଖି ଦେଶରେ ମାର୍ଚ୍ଚ ୨୪ରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିଲା। କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଭୂତାଣୁକୁ ତାଲାବନ୍ଦ କରିବା ଜରୁରୀ। ହେଲେ ଲକ୍‌ଡାଉନ୍‌ ନିଷ୍ପତ୍ତି ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ । ତେଣୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ଥନ କରିଛନ୍ତି ମୋଦି । ଏବେ ଘୋଷଣାକୁ ଅପେକ୍ଷା ।

Leave a Reply