ଫାଇନାଲକୁ କେମିତି ଯିବ ଭାରତ? ଶ୍ରୀଲଙ୍କାକୁ ହରାଇଲେ ମଧ୍ୟ ସ୍ଥାନ ପକ୍କା ନୁହେଁ !

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆକପ ୨୦୨୨ରେ ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ଭାରତ ପାଇଁ ମୁସ୍କିଲ ବଢ଼ିଯାଇଛି । ଆଜି ଅର୍ଥାତ ମଙ୍ଗଳବାର ଭାରତ ପାଇଁ କର ବା ମର ସ୍ଥିତି ରହିଛି । ଆଜି ସନ୍ଧ୍ୟାରେ ଶ୍ରୀଲଙ୍କାକୁ ଭେଟିବ ଭାରତୀୟ କ୍ରିକେଟ ଟିମ୍ । ଯଦି ଭାରତୀୟ ଦଳକୁ ଫାଇନାଲ ରେସରେ ରହିବାର ଅଛି ତେବେ ଆଜିର ମ୍ୟାଚ୍ ଜିତିବା ଆବଶ୍ୟକ । ସୁପର-୪ରେ ଏବେ ଅନେକ ସମୀକରଣ ଏପରି ରହିଛି, ଯାହା ଆଧାରରେ ଭାରତ ଫାଇନାଲକୁ ଯିବା ଅନିଶ୍ଚିତତାରେ ରହିଛି ।

ସୁପର-୪ ଷ୍ଟେଜରେ ପ୍ରତି ଟିମକୁ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବାର ଅଛି, ଭାରତୀୟ ଦଳ ଏପର୍ଯ୍ୟନ୍ତ ସୁଦ୍ଧା ଗୋଟିଏ ମ୍ୟାଚ ଖେଳିଛି, ଯେଉଁଥିରେ ତାକୁ ପାକିସ୍ତାନଠୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଆଜି ଶ୍ରୀଲଙ୍କା ବିପକ୍ଷରେ ଏବଂ ୮ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ । ପଏଣ୍ଟ ଟେବୁଲରେ ଭାରତ ଏବେ ତିନି ନମ୍ବର ସ୍ଥାନରେ ରହିଛି, ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଦୁଇଟି ଯାକ ମ୍ୟାଚ ଜିତିବା ଅନିର୍ବାର୍ଯ୍ୟ ଅଟେ । ଦୁଇ ଟିମକୁ ହରାଇବା ପରେ ୪ ପଏଣ୍ଟ ହାସଲ କରିବ, ଯଦି ନେଟ ରନରେଟ୍ ଭଲ ରୁହେ ତେବେ ବିନା କୌଣସି ସମସ୍ୟାରେ ଫାଇନାଲରେ ସ୍ଥାନ ପକ୍କା କରିବ ।

ଯଦି ଭାରତ ଶ୍ରୀଲଙ୍କା-ଆଫଗାନୀସ୍ତାନ ଦୁଇଜଣଙ୍କୁ ହରାଏ ତେବେ ତା ପାଖରେ ୪ ପଏଣ୍ଟ ହେବ । ଏପରି ସ୍ଥିତିରେ ଫାଇନାଲରେ ପହଞ୍ଚିବାର ଅଧିକ ସମ୍ଭାବନା ରହିଛି । ଶ୍ରୀଲଙ୍କା ଯଦି ପାକିସ୍ତାନକୁ ହରାଏ ତେବେ ମାମଲା ଫସି ଯାଇପାରେ । କାରଣ ସେ ସମୟରେ ନେଟ ରନରେଟ୍ କାମ କରିବ ଏବଂ ଏଠାରେ ଶ୍ରୀଲଙ୍କାର ନେଟ ରନରେଟ୍ ଏବେ ବହୁତ ଭଲ ଅଛି । ଅର୍ଥାତ ଆଫଗାନିସ୍ତାନ-ଶ୍ରୀଲଙ୍କାକୁ ପରାଜିତ କରିବା ସହ ଭାରତକୁ ନିଜର ରନରେଟ୍ ଉପରେ ଫୋକସ୍ କରିବାକୁ ହେବ, ଏଥିସହିତ ବିଚାର କରିବାକୁ ପଡ଼ିବ ଯେ ଅନ୍ୟ କୌଣସି ଟିମ ନିଜର ମୁକାବିଲା ନଜିତି ପାରନ୍ତୁ ।

ପାକିସ୍ତାନକୁ ଦୁଇଟି ମ୍ୟାଚ ଖେଳିବାର ବାକି ଅଛି, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନକୁ ସେ ଭେଟିବ । ଏପରିସ୍ଥିତିରେ ଯଦି ସେ ଦୁଇଟି ଯାକ ମ୍ୟାଚ ଜିତେ ତେବେ ଫାଇନାଲରେ ପ୍ରବେଶ କରିବ । ଭାରତ ମଧ୍ୟ ଯଦି ଦୁଇ ଟିମକୁ ପରାଜିତ କରେ ତେବେ ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ହେବା ନିଶ୍ଚୟ ଅଟେ । ଯଦି ଶ୍ରୀଲଙ୍କା ଆଜିର ମ୍ୟାଚରେ ଭାରତକୁ ପରାଜିତ କରେ ତେବେ ଟିମ ଇଣ୍ଡିଆ ଫାଇନାଲ ରେସରୁ ବାଦ୍ ପଡ଼ିପାରେ । ଶ୍ରୀଲଙ୍କା ଗୋଟିଏ ମ୍ୟାଚ ବିଜୟ ସହ ୨ ପଏଣ୍ଟ ସହ ଶୀର୍ଷରେ ରହିଛି । ସେହିପରି ପାକିସ୍ତାନ ମଧ୍ୟ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ସହ ଦ୍ୱିତୀୟରେ ରହିଛି ।

ଭାରତ ଏବଂ ଆଫଗାନିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚ୍ ହାରି ପର୍ଯ୍ୟାନୁକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୂଚନାଥାଉକି ଆସନ୍ତା ୧୧ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ । ଯଦି ଏପରି ହୁଏ ତେବେ ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହେବ । କାରଣ ଦୁଇ ଟିମ ଏପର୍ଯ୍ୟନ୍ତ ସୁଦ୍ଧା ଦୁଇଟି ମ୍ୟାଚରେ ମୁହାଁମୁହିଁ ହୋଇସାରିଛନ୍ତି । ଗୋଟିଏରେ ଭାରତ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପାକିସ୍ତାନ ବିଜୟୀ ହୋଇଛି ।