କାର ସେଲ୍ସମ୍ୟାନଙ୍କ ପୁଅ ଏବେ ମହାଶକ୍ତି ଆମେରିକାର ମୁଖିଆ, ଜାଣନ୍ତୁ ବାଇଡେନଙ୍କ ଇତିହାସ

1 min read

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୦ ଅନେକ ବାଦ ବିବାଦ ଦେଇ ଗତି କରିଛି । ଜୋ ବାଇଡେନ୍‌ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଶେଷରେ ବାଇଡେନ୍‌ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଇଡେନ୍‌ଙ୍କ ଖାତାରେ ୨୯୦ ଇଲେକ୍ଟୋରାଲ ଭାେଟ ପଡ଼ଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଭୋଟ ସାମିଲ ଥିଲା ।

ତେବେ ସବୁଠୁ ବଡ଼ କଥା ହେଲା ଜଣେ କାର୍‌ ସେଲ୍‌ସ ମ୍ୟାନ୍‌ଙ୍କ ପୁଅ ଆମେରିକାର ବସ୍‌ ହୋଇପାରିଛି । ଆଉ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ହସ୍ତୀଙ୍କୁ ହରାଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପଦବୀରେ ନିଜକୁ ବସାଇ ପାରିଛି । ତେବେ କେମିତି ଥିଲା ତାଙ୍କର ଏହି ଯାତ୍ରା ? ଯୁକ୍ତ ରାଷ୍ଟ୍ର ଆମେରିକାରେ ଲୋକଙ୍କ ହୃଦୟରେ କେମିତି ବସିଲେ ଜୋ ବାଇଡେନ୍‌ ? କୁହାଯାଉଛି ୫ଟି ମୁଖ୍ୟ କାରଣ ଯୋଗୁଁ ବାଇଡେନ୍‌ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ହୋଇପାରିଛନ୍ତି ।

କୋଭିଡ୍ ମୁକାବିଲା

କୋଭିଡ୍-୧୯ ବା ମହାମାରୀ କରୋନା ଭାଇରସ୍‌ । ‌କରୋନା ଭାଇରସ୍‌ ଆମେରିକାରେ ବେଶୀ କ୍ଷତି ପହଞ୍ଚାଇଛି । ପ୍ରାୟ ୨ ଲକ୍ଷ ୩୦ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରିଛନ୍ତି । ଯାହାକି ଆମେରିକା ରାଜନୀତିକୁ ଓଲଟପାଲଟ କରି ଦେଇଛି । କରୋନା ଯୋଗୁଁ ଆମେରିକାର ଅନେକ କ୍ଷତି ହୋଇଥିବା ନେଇ ନିର୍ବାଚନ ପ୍ରଚାରର ଶେଷ ଆଡ଼କୁ, ଖୋଦ୍‌ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି ।

ଚଳିତ ନିର୍ବାଚନ ପ୍ରଚାର ସମୟରେ କରୋନା ଏକ ମୁଖ୍ୟ ପ୍ରସଙ୍ଗ ଥିଲା । ଲୋକଙ୍କ ଫୋକସ୍‌ରେ ନିର୍ବାଚନ ନଥିଲା ବରଂ ତା’ଠାରୁ ଢ଼େର ଅଧିକ ଫୋକସ୍‌ରେ‌ ଥିଲା କରୋନା ମହାମାରୀ । ବିଭିନ୍ନ ଗଣମାଧ୍ୟମ ମଧ୍ୟ କରୋନାକୁ ହିଁ ଫୋକସ୍‌ କରିଥିଲା । ସେହିଭଳି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ କହୁଛନ୍ତି ତା’ଉପରେ ଲୋକଙ୍କ ଯେତିକି ଗୁରୁତ୍ୱ ନଥିଲା, ତା’ଠାରୁ ଢ଼େର ଅଧିକ ଗୁରୁତ୍ୱ ଥିଲା କରୋନା ସହ ଟ୍ରମ୍ପ କିଭଳି ମୁକାବିଲା କରୁଛନ୍ତି । ଏଭଳି ପରିସ୍ଥିତିରେ ଟ୍ରମ୍ପଙ୍କ କରୋନା ମୁକାବିଲା ଫର୍ମୁଲା ଲୋକଙ୍କୁ ପସନ୍ଦ ଆସିନଥିଲା ବୋଲି କୁହାଯାଉଛି । ଯାହା ଦ୍ୱାରା ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା ।

How A Car SalesMan Son Become US President Joe Biden

ଖାଲି ସେତିକି ନୁହେଁ ନିର୍ବାଚନ ପୂର୍ବରୁ ପିଉ ରିସର୍ଚ୍ଚ ସେଣ୍ଟର ଏକ ପୋଲ କରିଥିଲା । ଯେଉଁଥିରେ କରୋନା ମହାମାରୀ ମୁକାବିଲାକୁ ନେଇ ଲୋକଙ୍କ ମତ ନିଆଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ ବାଇଡେନ୍‌ଙ୍କ ଲୋକପ୍ରିୟତା ଟ୍ରମ୍ପଙ୍କଠାରୁ ୧୭ ପଏଣ୍ଟ ଅଧିକ ରହିଥିଲା । ଲୋକଙ୍କ ମନରେ ଟ୍ରମ୍ପ କରୋନା ମୁକାବିଲା ପାଇଁ ଅନ୍‌ଫିଟ୍ ବୋଲି ବସା ବନ୍ଧି ସାରିଥିଲା‌ । ଆଉ ଲୋକଙ୍କ ଏଭଳି ମାନସିକତା ହିଁ ବାଇଡେନ୍‌ଙ୍କ ପାଇଁ ଅସ୍ତ୍ର ପାଲଟିଥିଲା । ଟ୍ରମ୍ପଙ୍କ ନିର୍ବାଚନୀ ମୁଦ୍ଦା ବିକାଶ ରହିଥିବା ବେଳେ ବାଇଡେନ୍‌ଙ୍କ ନିର୍ବାଚନୀ ମୁଦ୍ଦା ଥିଲା ଟ୍ରମ୍ପଙ୍କ ବିଫଳତା ।

ବିବାଦୀୟ ବୟାନରୁ ଦୂରରେ

ବାଇଡେନ୍‌ଙ୍କ ରାଜନୈତିକ କ୍ୟାରିୟରରେ ଅନେକ ଥର ସମସ୍ୟାରେ ପଡ଼ିଛନ୍ତି । ଆଉ ଅଧିକାଂଶ ସମସ୍ୟା ସେ ତାଙ୍କ ନିଜ ବୟାନ ପାଇଁ ଉପୁଜିଥାଏ । ଯେଉଁ କାରଣରୁ ସେ ପ୍ରଥମ ଥର ୧୯୮୭ରେ ରାଷ୍ଟ୍ରପତି ନିର୍ବାଚନ ହାରିଥିଲେ । ଏହା ପରେ ୨୦୦୭ରେ ମଧ୍ୟ ସେ ଜିତି ପାରି ନଥିଲେ । ଏହି ସବୁର କାରଣ ସେ ନିଜେ ହିଁ । ତେବେ ତୃତୀୟ ଥର ଅର୍ଥାତ୍ ଚଳିତ ଥର ବାଇଡେନ୍‌ଙ୍କ ପାଇଁ କିଛି କମ୍‌ ସମସ୍ୟା ଉପୁଜିଥିଲା ତାହା ନୁହେଁ ବରଂ ଚଳିତ ଥର କୌଣସି ବି ସମସ୍ୟା ବଡ଼ ମୁଦ୍ଦା ହୋଇନଥିଲା ।

କାରଣ ଚଳିତ ନିର୍ବାଚନ ସମୟରେ ଅନେକ ବଡ଼ ବଡ଼ ଘଟଣା ଚର୍ଚ୍ଚାରେ ଥିଲା । ଗୋଟିଏ ପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀ ମଧ୍ୟ ଚର୍ଚ୍ଚାରେ ଥିଲା । ଏମିତିକି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ହୋଇଥିବା ପ୍ରଦର୍ଶନ ମଧ୍ୟ ଗଣମାଧ୍ୟମକୁ ବ୍ୟସ୍ତ ରଖିଲା । ଯାହା ଦ୍ୱାରା ବାଇଡେନ୍‌ ନିଜ ନିର୍ବାଚନୀ ପ୍ରଚାର ସମୟରେ ଯେତିକି ଜରୁରୀ ସେତିକି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଫଳରେ ବାଇଡେନ୍‌ଙ୍କ ପାଟିରୁ ବିବାଦୀୟ ବୟାନ୍‌ ଆସିବା ବନ୍ଦ ହୋଇଗଲା ଆଉ ସେ ଅନେକ ସମସ୍ୟାରୁ ବର୍ତ୍ତି ଗଲେ ।

ଆମେରିକା ଚାହେଁ ଶାନ୍ତିପ୍ରିୟ ନେତା

ନିର୍ବାଚନର ଠିକ୍‌ ଏକ ସପ୍ତାହ ପୂର୍ବରୁ ବାଇଡେନ୍‌ଙ୍କ ଟିମ୍‌ ପକ୍ଷରୁ ଟିଭିରେ ବିଜ୍ଞାପନ ଆସିଥିଲା । ଏଥିରେ ଯେଉଁ ବାର୍ତ୍ତା ଦିଆଯାଇଥିଲା ତାହା ସେ ଅଗଷ୍ଟରେ ନିର୍ବାଚନରେ ଆକ୍ସେପ୍ଟାନ୍ସ ମିଟିଂରେ ନିଜ ଅଭିଭାଷଣରେ କହିଥିଲେ । ସେ ଆମେରିକାବାସୀ ଜଣେ ଶାନ୍ତିପ୍ରିୟ ନେତା ଚାହୁଁଛନ୍ତି । କିନ୍ତୁ ଟ୍ରମ୍ପ ଜଣେ ଭଡ଼କାଉ ନେତା, ତାଙ୍କ ଭାଷାରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଥାଏ । ସେ ଏଥିରେ ପାର୍ଥକ୍ୟ ଚାହାନ୍ତି ବୋଲି ନିଜ ଭାଷଣରେ କହିଥିଲେ ବାଇଡେନ୍‌ ।

How A Car SalesMan Son Become US President Joe Biden

ତେବେ ଚଳିତ ନିର୍ବାଚନରେ ଡେମୋକ୍ରାଟ ସମର୍ଥକଙ୍କ ମନରେ ଏକ ବଡ଼ ଚର୍ଚ୍ଚା ଥିଲା ଯେ, ବିଡେନ୍‌ ଜିତିଲେ କମ୍‌ ସେ କମ୍‌ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜନୀତି ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି କଥା ହସ୍ୟାସ୍ପଦ ଥିଲେ ମଧ୍ୟ କେଉଠି ନା କେଉଁଠି ଏଥିରେ ସତ୍ୟତା ଥିଲା । ଟ୍ରମ୍ପ ଓ ବାଇଡେନ୍‌ଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଲୋକ ଯେମିତି ହେଲେ ନିଜର ମତ ସାବ୍ୟସ୍ତ କରିବେ ବୋଲି ଆଗ୍ରହୀ ଥିଲେ ।

ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା

ବିଭିନ୍ନ ଦିଗରୁ ନିର୍ବାଚନୀ ଚାଲ ଖେଳା ଯାଉଥିବା ବେଳେ ବାଇଡେନ୍‌ ନ୍ୟୁଟ୍ରାଲ ରହି ଟ୍ରମ୍ପଙ୍କୁ ଡେଣା କାଟିବାକୁ ଚେଷ୍ଟା କରିଥିଲେ । ସେ ଆମେରିକାର ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଏବଂ ଅର୍ଥନୀତିକୁ ମୁଦ୍ଦା କରିଥିଲେ । ଯାହାକି ଟ୍ରମ୍ପଙ୍କ ବିଫଳତା ବୋଲି କୁହାଯାଉଛି । ଲୋକଙ୍କ ପାଖରେ ସେ ଟ୍ରମ୍ପଙ୍କ ବିଫଳତାକୁ ସଫଳତା ପୂର୍ବକ ରଖିପାରିଥିଲେ ।

How A Car SalesMan Son Become US President Joe Biden

ଖାଲି ସେତିକି ନୁହେଁ ବାଇଡେନ୍‌ ବାମପନ୍ଥୀଙ୍କ ସମର୍ଥନ ପାଇବା ପାଇଁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଲା ହ୍ୟାରିସ୍‌ଙ୍କୁ ବାଛିଥିଲେ । ଯାହାକି ତାଙ୍କୁ ଆରମ୍ଭରୁ ସଫଳତାର ଗୋଟିଏ ପାହାଚ ଚଢ଼ାଇଥିଲା । ତେବେ ପର୍ଯ୍ୟାବରଣ ଓ ପ୍ରଦୂଷଣ କଥା ମଧ୍ୟ ନିର୍ବାଚନୀ ପ୍ରଚାରର ଏକ ମୁଦ୍ଦା ଭାବେ ସେ ଗ୍ରହଣ କରିଥିଲେ । ଯାହାକି ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିଥିଲା ।

ଅର୍ଥ ନଥାଇ ଲଢ଼ିଥିଲେ ନିର୍ବାଚନ

ନିର୍ବାଚନ ଆରମ୍ଭରୁ ବାଇଡେନ୍‌ଙ୍କ ପାଖରେ ଟଙ୍କା ନଥିଲା । ଆଉ ଟ୍ରମ୍ପଙ୍କ ଭଳି ବିଜ୍‌ନେସ୍‌ ମ୍ୟାନ୍‌ଙ୍କ ବିରୋଧରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବାର ନିଷ୍ପତ୍ତି ନେଇଥିଲେ । ତେବେ ଏହି ନିଷ୍ପତି ତାଙ୍କୁ ସଫଳତା ଆଡ଼କୁ ଟାଣି ନେଇଥିଲା । ଏପ୍ରିଲ୍‌ରୁ ସେ ନିଜ ନିର୍ବାଚନୀ ଅଭିଯାନକୁ ଅର୍ଥ ସଂଗ୍ରହ ଅଭିଯାନରେ ପରିଣତ କରିଥିଲେ । ଆଉ ଟ୍ରମ୍ପଙ୍କ ଖାମ୍‌ଖିଆଲ ମନୋଭାବ ଯୋଗୁଁ ବାଇଡେନ୍‌ ବିପୁଳ ଅର୍ଥ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ ।  ଏମିତିକି ଟ୍ରମ୍ପଙ୍କଠାରୁ ସେ ବହୁତ ଅଧିକ ଟଙ୍କା ଜମା କରି ନେଇଥିଲେ ।

How A Car SalesMan Son Become US President Joe Biden

ଅକ୍ଟୋବର ଶେଷ ସୁଦ୍ଧା ବାଇଡେନ୍‌ ନିର୍ବାଚନୀ ଅଭିଯାନ ପାଖରେ ଟ୍ରମ୍ପଙ୍କ ଫଣ୍ଡଠାରୁ ପ୍ରାୟ ୧୪.୪ କୋଟି ଡଲାର ଅଧିକ ଥିଲା । ଯାହାଦ୍ୱାର ସେ ସବୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଟିଭିରେ ନିଜର ବଜ୍ଞାପନ କରିବାରେ ସମର୍ଥ ହୋଇଥିଲେ । ଯାହା କି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପ କରିପାରି ନଥିଲେ ।

Leave a Reply