ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧା

ଦାରିଙ୍ଗବାଡ଼ି: ଲଗାଣ ବର୍ଷା ଆଣିଛି ଅସହ୍ୟ ଯନ୍ତ୍ରଣା । କେଉଁଠି ଘର ଭାଙ୍ଗିଛି ତ କେଉଁଠି ପାଣି ପଶିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି । ନଦୀ, ନାଳ, ପୋଖରୀ, ବଲ, ରାସ୍ତା ସବୁ ପାଣି ହିଁ ପାଣିରେ ଏକକାର ହୋଇଯାଇଛି । ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ିବାର ଖବର ମଧ୍ୟ ଆସୁଛି । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ବିନ୍ଧାଣୀ ସାହିରେ । ତେବେ ସୌଭାଗ୍ୟକୁ, ଏହି ଘଟଣାରେ ଜଣେ ବୃଦ୍ଧା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ଖବର ଅନୁସାରେ, ବିନ୍ଧାଣୀ ସାହିର ମେନଗା ପୂଜାରୀ ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ ସୁଦାମ ସହ ରହୁଥିଲେ । ସୁଦାମ ୧୫ ବର୍ଷ ପୂର୍ବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସେବେଠାରୁ ଆଉ ଫେରି ନାହାନ୍ତି । ପୁଅ ଯିବା ପରଠାରୁ ମେନଗା ଅସହାୟ ଅବସ୍ଥାରେ ଏକା ଏକା ରହି ରହି ଆସିଛନ୍ତି । ସେ ଏକ ଝାଟିମାଟି ଘରେ ରହୁଛନ୍ତି । ହେଲେ ଏହି ଲଗାଣ ବର୍ଷା ତାଙ୍କ ଝାଟିମାଟିର ଘରକୁ ଗ୍ରାସ କରିଛି । ବର୍ଷାରେ ତାଙ୍କ ଘରଟି ଭାଙ୍ଗି ଯାଇଥିବା ବେଳେ ୬୪ ବର୍ଷ ବୟସରେ ସେ ଏବେ ଏକ କୁଡ଼ିଆରେ ଆଶ୍ରୟ ନେଇଛନ୍ତି ।

ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମେନଗାଙ୍କୁ ଘର ଯୋଗାଇ ଦେବା ସହ ତାଙ୍କୁ ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।