ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ପୂର୍ବରୁ ହଙ୍ଗାମା, ଆପ୍‌ର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନ ପୂର୍ବରୁ ଜୋରଦାର ହଙ୍ଗାମା। ଆପ୍ ଓ ବିଜେପି ମୁହାଁମୁହିଁ। ବିକ୍ଷୋଭ, ନାରାବାଜି ପରେ ଉଭୟ ଦଳର କାଉନସିଲରଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଦ୍ବାରା ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ଜୋରଦାର ବିକ୍ଷୋଭ କରିଛି ଆପ୍। ପ୍ରଥମେ ମନୋନୀତ ସଦସ୍ୟଙ୍କୁ ଶପଥ ପାଠ କରାଇବାକୁ ବିରୋଧ କରାଯାଇଛି।

ନିର୍ବାଚିତ ସଦସ୍ୟଙ୍କୁ ପ୍ରଥମେ ଶପଥ ପାଠ କରାଇବାକୁ ଦାବି କରିଛନ୍ତି ଆପ୍ କାଉନସିଲର। ମେୟର ନିର୍ବାଚନ ପରିଚାଳନା ପାଇଁ ବିଜେପି କର୍ପୋରେଟର୍ ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି ଉପରାଜ୍ୟପାଳ। ଏଥିସହ ୧୦ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ଦିଲ୍ଲୀ ସରକାରଙ୍କ ସହ ପରାମର୍ଶ ନକରି ସଦସ୍ୟଙ୍କୁ ଉପରାଜ୍ୟପାଳ ମନୋନୀତ କରିଥିବା ଆପ୍ ଅଭିଯୋଗ କରିଛି। ଏହାକୁ ନେଇ ଉପରାଜ୍ୟପାଳ ଓ ଆପ୍ ମୁହାଁମୁହିଁ ହୋଇଛନ୍ତି।

ତିନି ଥର କ୍ଷମତାରେ ରହିବା ପରେ ବିଜେପି ହାତରୁ ଏମସିଡି ଛଡ଼ାଇ ନେଇଥିଲା ଆପ୍‌। ତେବେ ମେୟର ନିର୍ବାଚନରେ ବିଜେପିକୁ ଉପରାଜ୍ୟପାଳ ଭିତିରି ସମର୍ଥନ ଦେଖାଉଥିବା ଆପ୍ ଅଭିଯୋଗ କରିଛି। ବିଜେପି ସମର୍ଥିତ ୧୦ଜଣ ସଦସ୍ୟଙ୍କୁ ଉପରାଜ୍ୟପାଳ ଜାଣିଶୁଣି ମନୋନୀତ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗତକାଲି ଅଭିଯୋଗ କରିଥିଲେ । ସେହିପରି ଅସ୍ଥାୟୀ ବାଚସ୍ପତି ପାଇଁ ସବୁଠୁ ବରିଷ୍ଠ କାଉନସିଲର ମୁକେଶ ଗୋଏଲଙ୍କ ନାଁ ସୁପାରିଶ କରିଥିଲେ ମଧ୍ୟ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ନିଯୁକ୍ତ କରିଛନ୍ତି ଉପରାଜ୍ୟପାଳ।