ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଗିରଫ, ବ୍ଲାକ୍‌ମେଲ ପାଇଁ ହତ୍ୟାକାଣ୍ଡ

ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ୩ ଗିରଫ। ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ । ହତ୍ୟା ପରେ ମୃତଦେହକୁ ଏକ ବେଡସିଟରେ ଗୁଡାଇ ୩ ଜଣ ଟେକି ନେଇ ବିଏମଡବ୍ଲୁ କାରରେ ରଖୁଥିବା ଦେଖିବାକୁ ମିଳୁଛି। ଏହାପରେ କେଉଁଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ତେବେ ମୃତଦେହକୁ ଠାବ କରିପାରିନାହିଁ ପୋଲିସ। ହତ୍ୟାକାଣ୍ଡ ଘଟିଥିବା ହୋଟେଲରେ ପୋଲିସ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରିଛି  ।

ବିଗତ ୨୦୧୬ ଫେବ୍ରୁଆରୀ ୭ରେ ମୁମ୍ବାଇର ଏୟାରପୋର୍ଟ ମେଟ୍ରୋ ହୋଟେଲରେ ଦିବ୍ୟା ପାହୁଜା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲି ସହ ଥିବାବେଳେ ଗୁରୁଗ୍ରାମ ପୋଲିସ ଟିମ୍ ଗ୍ୟାଙ୍ଗଷ୍ଟର ସନ୍ଦୀପକୁ ଏନକାଉଣ୍ଟର କରଥିଲା । ଏହି ଏନକାଉଣ୍ଟର ମିଛ ସନ୍ଦେହ କରି ମଡେଲ ଦିବ୍ୟାଙ୍କ ସହ ତାଙ୍କ ମାଆ ଓ ହରିୟାଣାର ୫ ପୋଲିସ କର୍ମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ।

ଗତ ଜୁନରେ ୭ ବର୍ଷ ଜେଲରେ ରହିବା ପରେ ଦିବ୍ୟା ପାହୁଜାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା । ଜାମିନ ମିଳିବାର ୭ ମାସ ପରେ ଦିବ୍ୟାଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ସନ୍ଦୀପ ହତ୍ୟାର ବଦଲା ନେବାକୁ ଦିବ୍ୟାଙ୍କୁ କରାଯାଇଛି ହତ୍ୟା । ଏହି ହତ୍ୟା ଘଟଣାରେ ଗୁରୁଗ୍ରାମର ହୋଟେଲ ସିଟି ପଏଣ୍ଟ ମାଲିକ ଅଭିଜିତ ସିଂ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ତେବେ ହିବ୍ୟା ପାହୁଜାଙ୍କୁ କାହିଁକି କରାଯାଇଛି ହତ୍ୟା। ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାକୁ ନେଇ ଜାରି ରହିଛି ସସପେନ୍ସ। ଗ୍ୟାଙ୍ଗଷ୍ଟର ହତ୍ୟାର ରିଭେଞ୍ଜ ନା ବ୍ଲାକମେଲିଂ। ହୋଟେଲ ମାଲିକ ଅଭିଜିତଙ୍କ ସହ ଦିବ୍ୟାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ରହିଥିଲା । ଅଭିଜିତଙ୍କୁ ଧମକ ଦେଇ ଦିବ୍ୟା ବିପୁଳ ଟଙ୍କା ନେଉଥିବା ପୋଲିସ ସୂଚନା ଦେଇଛି । ସେପଟେ ବୀରେନ୍ଦ୍ର କୁମାର ଓରଫ ବିନ୍ଦର ଗୁଜ୍ଜର ନାମକ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଦୋଲିଙ୍କ ସହ ପ୍ରତିନ୍ଦ୍ବନ୍ଦ୍ବୀ ଗ୍ୟାଙ୍ଗ୍ ଚଳାଇଥିଲା ।

ସନ୍ଦୀପକୁ ରାସ୍ତାରୁ ହଟାଇବାକୁ ହରିୟାଣା ପୋଲିସ ସହ ମିଶି ଷଡ଼ଯନ୍ତ୍ର କରିଥିଲା। ହରିୟାଣା ପୋଲିସର ଏନକାଉଣ୍ଟର ସମୟରେ ଗୁଜ୍ଜର ଜେଲରେ ଥିଲା । ଭାଇ ମନୋଜ ସହାୟତାରେ ଏହି ଏନକାଉଣ୍ଟର ଷଡ଼ଯନ୍ତ୍ର ବୀରେନ୍ଦ୍ର ଗୁଜ୍ଜର କରିଥିବା ମୁମ୍ବାଇ ପୋଲିସ ସୂଚନା ଦେଇଥିଲା ।ଏହି ସମସ୍ତ ଦିଗକୁ ନେଇ ହତ୍ୟାକାଣ୍ଡର କାରଣ ଖୋଜୁଛି ହରିୟାଣା କ୍ରାଇମବ୍ରାଞ୍ଚ ଟିମ୍ ।