ମନଇଚ୍ଛା ସେବା ଶୁଳ୍କ ନେଇପାରିବେନି ହୋଟେଲ ଓ ରାସ୍ତୋରାଁ

ନୂଆଦିଲ୍ଲୀ: ଏଣିକି ମନଇଚ୍ଛା ସେବା ଶୁଳ୍କ ନେଇ ପାରିବେନି ହୋଟେଲ ଓ ରେସ୍ତୋରାଁ । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶରେ କୁହାଯାଇଛି ଯେ, କୌଣସି ବି ନାଁରେ ହୋଟେଲ ଏବଂ ରେସ୍ତୋରାଁ ସେବା ଶୁଳ୍କ ନେଇପାରିବେ ନାହିଁ ।

ସିସିପିଏ ନିର୍ଦ୍ଦେଶ ଜାରି କରି କହିଛି, ଖାଇବା ବିଲରେ ମଧ୍ୟ ସର୍ବିସ ଟ୍ୟାକ୍ସ ଯୋଡା ଯାଇପାରିବ ନାହିଁ । ଯଦି କୌଣସି ହୋଟେଲ ଖାଇବା ବିଲ୍ ରେ ସେବା ଶୁଳ୍କ ଯୋଡିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଥାଉକି, ଦୀର୍ଘ ଦିନ ହେବ ଅତିରିକ୍ତ ସେବା ଶୁଳ୍କକୁ ବିରୋଧ କରିଆସୁଥିଲେ ଲୋକମାନେ । ଏହାକୁ ବନ୍ଦ କରିବା ପାଇଁ ଦାବି କରି ଆସୁଥିଲେ ।ଉପଭୋକ୍ତାଙ୍କ ଅଧିକାରର ଉଲ୍ଲଙ୍ଘନ ଓ ବେଆଇନ ବ୍ୟବସାୟକୁ ରୋକିବା ପାଇଁ ସିସିପିଏ ଏହି ନିର୍ଦ୍ଦେଶ ଜାରି କରିଛି ।

ନିର୍ଦ୍ଦେଶରେ ପ୍ରାଧିକରଣ କହିଛି, କୌଣସି ବି ହୋଟେଲ ବା ରେସ୍ତୋରାଁ ଗ୍ରାହକଙ୍କୁ ସେବା ଶୁଳ୍କ ଦେବା ପାଇଁ ବାଧ୍ୟ କରିପାରିବେ ନାହିଁ । ଗ୍ରାହକ ଚାହିଁଲେ ଖୁସିରେ ଟିପ୍ ଆକାରରେ ଦେଇପାରିବେ । ସେବା ଶୁଳ୍କ ଦେବେ କି ନାହିଁ ଏହା ସମ୍ପୂର୍ଣ୍ଣ ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରିବ । ରେସ୍ତୋରାଁ ଏବଂ ହୋଟେଲର ବିଲରେ ଲାଗୁଥିବା ସ୍ୱତଃ ସେବା ଶୁଳ୍କକୁ ନେଇ କଟକଣା ଲଗାଇଛି ସିସିପିଏ । କୌଣସି ପ୍ରଡକ୍ଟକୁ କିଣିଲେ କିମ୍ବା କୌଣସି ସେବା ନେଲେ ସେଥିପାଇଁ ଆପଣଙ୍କୁ କିଛି ଚାର୍ଜ ଦେବାକୁ ପଡିଥାଏ  । ଏହି ସେବାକୁ ସେବା ଶୁଳ୍କ ବୋଲି କୁହାଯାଏ । ହୋଟେଲ ଓ ରେସ୍ତୋରାଁରେ ଗ୍ରାହକଙ୍କଠାରୁ ଖାଦ୍ୟ ପରସିବା ପାଇଁ ବା ଅନ୍ୟ କିଛି ସେବା ପାଇଁ ଏହି ଶୁଳ୍କ ନିଆ ଯାଇଥାଏ । କିନ୍ତୁ ଆଜିଠାରୁ ସିସିପିଏ ଏହା ଉପରେ କଟକଣା ଲଗାଇ ଦେଇଛି ।