ଦେବୀ ନଦୀରେ ବୁଡ଼ିଗଲା ସୁଲତାନ, ଅସହାୟ ଅବସ୍ଥାରେ କାନ୍ଦୁଛି ଘୋଡ଼ା ମାଲିକ

କୋଣାର୍କ: ସେ ଘୋଡ଼ା ନଥିଲା । ସେ ଥିଲା ତା’ ପୁଅ । ସାଥୀ ସହ ମିଶି ପୂରା ପରିବାର ପେଟକୁ ଦେଉଥିଲା ଦାନା । ନାଁ ତା’ର ସୁଲତାନ । ହେଲେ ଆଜି ସୁଲତାନ ନାହିଁ । ସାଥୀ ଘୋଡ଼ା ଏଣେ ତେଣେ ଚାହିଁ ତାକୁ ଖୋଜୁଛି । ଆଉ ମାଲିକ ଅସ୍ତରଙ୍ଗ ନିକଟ ଦେବୀ ନଦୀ କୂଳରେ ବସି ଆଖିରୁ ଲୁହ ଗଡ଼ାଉଛି । କାରଣ ଏହି ଦେବୀ ନଦୀରେ ପଡ଼ି ଚାଲିଯାଇଛି ସୁଲତାନର ଜୀବନ । ଏବେ ଗୋଟିଏ ଘୋଡ଼ା ସହ ଅସହାୟ ମାଲିକ ଘରକୁ କେମିତି ଫେରିବ ? ପରିବାର କେମିତି ଚଳିବ ସେହି ଚିନ୍ତାରେ କାନ୍ଦି ପକାଉଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀର ମହମ୍ମଦ ଅନସାରୀ । ତାଙ୍କ ପାଖରେ ଥିଲେ ଦୁଇଟି କଳା ଘୋଡ଼ା । ଏହି ଦୁଇ ଘୋଡ଼ାଙ୍କୁ ସାଙ୍ଗରେ ଧରି ଗାଁରୁ ଗାଁ ବୁଲି ଅନସାରୀ ମୁଦି ବିକ୍ରି କରୁଥିଲେ । ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳୁଥିଲା । ଦୁଃଖ କଷ୍ଟରେ ଦିନ କଟୁଥିଲେ ବି ପରିବାର ଓ ନିଜ ପିଲା ଭଳି ଦୁଇ ଘୋଡ଼ାଙ୍କୁ ନେଇ ବେଶ ଖୁସି ଥିଲେ ଅନସାରୀ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଦୁଇ ଘୋଡ଼ାଙ୍କୁ ଧରି ଅନସାରୀ କୋଣାର୍କ ଅଞ୍ଚଳକୁ ଆସିଥିଲେ । ଗାଁରୁ ଗାଁ ବୁଲି ସେ ମୁଦି ବେପାର କରୁଥିଲେ । ହେଲେ ଅସ୍ତରଙ୍ଗ ନିକଟ ଝାଡ଼ଲିଙ୍ଗ ଗାଁ ଦେବୀ ନଦୀରେ ଘଟିଲା ଅଘଟଣ ।

ଝାଡ଼ଲିଙ୍ଗ ଗାଁରେ ଘୋଡା ଗାଡ଼ି ବୁଲାଇ ଅନସାରୀ ଦେବୀ ନଦୀ ବନ୍ଧରେ ଫେରୁଥିଲେ । ନଦୀ ବନ୍ଧରେ ଦୁଇ ଘୋଡ଼ାଙ୍କୁ ନେଇ ଯାଉଥିଲେ ଅନସାରୀ । କିଛି ଦୂରରୁ ଶାମୁକା ପୋଡ଼ା ଗନ୍ଧ ଆସୁଥିବାରୁ ସୁଲତାନ ବୁଲି ପଡିଥିଲା । ନଦୀ ବନ୍ଧ ସଂକୀର୍ଣ୍ଣ ଥିବାରୁ ଘୋଡା ଭିଡୁଥିବା ଗାଡିର ପଛ ଚକା ଦେବୀ ନଦୀର ପଥର ବନ୍ଧରେ ଖସି ଯାଇଥିଲା । ଫଳରେ ସୁଲତାନ ଭାରସାମ୍ୟ ହରାଇ ନଦୀରେ ପଡ଼ି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଅନସାରୀ ବହୁତ ଚେଷ୍ଟା କରିଥିଲା । ସ୍ଥାନୀୟ ଲୋକେ ମଧ୍ୟ ଘୋଡ଼ାଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ଦେବୀ ନଦୀର ପ୍ରଖର ସ୍ରୋତରେ ସୁଲତାନକୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ଫଳରେ ନଦୀରେ ବୁଡ଼ି ସୁଲତାନର ମୃତ୍ୟୁ ଘଟିଥିଲା ।

ସୁଲତାନର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଅନସାରୀ । ସେଇ ନଦୀରେ ସୁଲତାନର ମୃତଦେହକୁ ଭସାଇ ଦେଇଛନ୍ତି । ଆଖିରୁ ଝରି ପଡୁଛି ଅନବରତ ଲୁହର ଧାର । ପିଲା ଭଳି ପାଳି ଥିବା ସୁଲତାନକୁ ହରାଇ ସେ ଯେତିକି ମର୍ମାହତ ହୋଇପଡ଼ିଛନ୍ତି, ତା’ଠୁ ଅଧିକ ଘାରିଛି ଏବେ ପରିବାର କେମିତି ଚଳିବ । କାରଣ ଗୋଟିଏ ଘୋଡ଼ାରେ ତ ଗାଡି ଟାଣି ହେବନି ଓ ଆଉ ଗୋଟିଏ ଘୋଡ଼ା କିଣି ଯୋଡ଼ି ବନାଇବାକୁ ତାଙ୍କ ପାଖରେ ସମ୍ଭଳ ନାହିଁ ।

ଘୋଡ଼ାଟିର ମୃତ୍ୟୁ ନା କେବଳ ଅନସାରୀଙ୍କୁ ଭାଙ୍ଗି ଦେଇଛି ତାହା ନୁହେଁ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋଡ଼ାଟିର ଅକାଳ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ଯରେ ଅନ୍ୟ ଘୋଡା ଓ ଅନସାରୀଙ୍କୁ ଦିଲ୍ଲୀ ପଠାଇବାର ବ୍ଯବସ୍ଥା କରାଯାଉଛି । ଘୋଡା ଓ ମାଲିକକୁ ଦିଲ୍ଲୀ ପଠାଇବାର ବ୍ଯବସ୍ଥା କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି ।