ନନ୍ଦିଘୋଷ ବ୍ୟୁରୋ : ହଂକଂ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ଘଟଣାସ୍ଥଳରୁ ଆହୁରି ଅଧିକ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ତାଇ ପୋ ଜିଲ୍ଲାର ଫୁକ୍ କୋର୍ଟ ଇଷ୍ଟେଟରେ ନିଆଁ ଲାଗିଥିଲା । ୩୨ ମହଲା ବିଶିଷ୍ଟ ୮ଟି ଟାୱାରରେ ନିଆଁ ଲାଗିଥିଲା। ମରାମତି ପାଇଁ ବାଉଁଶ ମଞ୍ଚା ବନ୍ଧା ଯାଇଥିଲା। ସେଥିରେ ପ୍ରଥମେ ନିଆଁ ଲାଗିଥିଲା। ସାତଟି ଯାକ ବିଲଡିଂ ଏମିତି ଜଳି ଯାଇଛି ଯେ, ଯେମିତି ଆଉ କିଛି ନାହିଁ। ପବନ ଓ ସୁରକ୍ଷା ପାଇଁ ଲଗାଯାଇଥିବା ଜାଲ ପାଇଁ ଭୟଙ୍କର ରୂପ ଧାରଣ କରିଥିଲା ନିଆଁ।
ଏହି ସବୁ ଆପାର୍ଟମେଣ୍ଟରେ ଅଧିକାଂଶ ବୟସ୍କ ଲୋକ ରହୁଥିଲେ। ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ଥିଲା। ଏପରିକି କେତେକ ଲୋକ ଜାଣି ବି ପାରିନଥିଲେ ଯେ, ନିଆଁ ଲାଗିଛି। ସେଥିପାଇଁ ମୃତ୍ୟୁ ସଂଖ୍ୟା ବଢିଛି। ଉଦ୍ଧାର ପରେ ପ୍ରାୟ ହଜାରେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ କରାଯାଇଛି ସ୍ଥାନାନ୍ତର। ୧୯୮୦ ଦଶକରେ ଏହି ବିଲଡିଂ ନିର୍ମିତ ହୋଇଥିଲା। ପୁରୁଣା ହୋଇଥିବାରୁ ଏବେ ଚାଲିଥିଲା ମରାମତି। ଏହି ସମୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଅଗ୍ନିକାଣ୍ଡ ପାଇଁ ସେମାନଙ୍କୁ ଦାୟୀ କରାଯାଇଛି। ବିଲଡିଂ ମରାମତି ବେଳେ ଏମିତି ସାମଗ୍ରୀ ବ୍ୟବହାର କରାଯାଇଥିଲା, ଯାହା କି ଅତ୍ୟଧିକ ଦହନଶୀଳ। ଏହା ଦ୍ଵାରା ନିଆଁ ଅଧିକ ବ୍ୟାପିଥିଲା। ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଶ୍ରେଣୀର। ବର୍ତ୍ତମାନ ସୁଦ୍ଧା ପ୍ରଥମେ ନିଆଁ କେମିତି ଲାଗିଲା, ଅଗ୍ନିକାଣ୍ଡର ମୂଳ କାରଣ କଣ, ତାହା ସ୍ପଷ୍ଟ ହୋଇ ନାହିଁ।

