ପାକିସ୍ତାନ ସେନା ନାମରେ ଗୁରୁତର ଅଭିଯୋଗ, ରାଜନେତାଙ୍କୁ ଫସାଇବା ଲାଗି ହନିଟ୍ରାପିଂ

1 min read

ଲାହୋର: ପାକିସ୍ତାନ ସେନା ନାମରେ ଗୁରୁତର ଅଭିଯୋଗ । କେତେକ ଅଭିନେତ୍ରୀଙ୍କୁ ନେଇ ବଡ଼ ଖୁଲାସା । ସାଜଲ ଆଲି ସମେତ କେତେକ ଅଭିନେତ୍ରୀଙ୍କୁ ପାକ୍ ସେନା ହନିଟ୍ରାପ ଲାଗି ବ୍ୟବହାର କରୁଛି ବୋଲି ଖବର ପ୍ରକାଶ ପାଇଛି । ୧୯୯୪ରେ ଜନ୍ମିତ ସାଜଲ ଜଣେ ଅଭିନେତ୍ରୀ ଓ ମଡେଲ ଏବଂ ୨୦୦୯ରେ ଜିଓ ଟିଭି କମେଡି ଡ୍ରାମା ନାଦାନିୟାନରେ ଖ୍ୟାତି ଅର୍ଜନ କରିଥିଲେ । ପାକିସ୍ତାନର ଜଣେ ପୂର୍ବତନ ସାମରିକ ଅଧିକାରୀ ତଥା ୟୁଟ୍ୟୁବର ମେଜର ଆଦିଲ ରାଜା କହିଛନ୍ତି- ପାକିସ୍ତାନ ସେନା ଦ୍ବାରା କେତେକ ଅଭିନେତ୍ରୀଙ୍କୁ ହନିଟ୍ରାପ ଲାଗି ବ୍ୟବହାର କରାଯାଉଛି । ହନିଟ୍ରାପ ଜରିଆରେ ରାଜନେତାମାନଙ୍କୁ ଫସାଯାଉଛି ।

ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଜଲ । କହିଛନ୍ତି- ଏପରି ଖବର ପ୍ରସାରଣ ଦ୍ବାରା ଦେଶରେ ନୈତିକତା କ୍ଷୁଣ୍ଣ ହୋଇଛି ଏବଂ ଚରିତ୍ର ସଂହାର ହେଉଛି ମାନବିକତାର ସବୁଠାରୁ ଘୃଣ୍ୟ ବିଷୟ । ଟ୍ୱିଟରରେ ମେଜର ରାଜାଙ୍କ ଅନେକ ଫଲୋୟର ଥିବାବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜଣେ ଦୃଢ଼ ପ୍ରଶଂସକ । କେବଲ ସାଜଲ ଆଲି ନୁହନ୍ତି କୁବ୍ରା ଖାଁ, ମହିରା ଖାଁ, ମେହଓ୍ବିସ ହାୟତଙ୍କୁ ମଧ୍ୟ ହନିଟ୍ରାପରେ ବ୍ୟବହାର କରାଯାଉଥିବା ଅଭିଯୋଗ ହେବା ପରେ ସେମାନେ ଏହାକୁ ଖଣ୍ଡନ କରିଛନ୍ତି । ସାଜଲ ଆଲି ବଲିଉଡ ଫିଲ୍ମ ମମରେ ମଧ୍ୟ ଅଭିନୟ କରିଥିଲେ । ମେଜର ଆଦିଲଙ୍କ ବିରୋଧରେ ପଦକ୍ଷେପ ନେବାକୁ ଧମକ ଦେଇଛନ୍ତି କୁବ୍ରା ଖାଁ । ତିନିଦିନ ମଧ୍ୟରେ ହନିଟ୍ରାପର ପ୍ରମାଣ ଦେବା ଲାଗି ସେ ଆଦିଲ ରାଜାଙ୍କୁ ଆହ୍ବାନ ଦେଇଛନ୍ତି । ନଚେତ ସେ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କୁବ୍ରା । ସେହିପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେହଓ୍ବିସ ହାୟତ ।