ITR ଗୁପ୍ତତଥ୍ୟ ଲିକ୍ ମାମଲା: ବାବୁରାମଙ୍କୁ ଘନ ଘନ ଜେରା

ବାଲେଶ୍ବର: ରିମାଣ୍ଡରେ ହନିଟ୍ରାପର ଗୁମର ଖୋଲୁଛି ବାଲେଶ୍ବର ଆଇଟିଆରର ବରିଷ୍ଠ ଟେକନିକାଲ ଅଫିସର ବାବୁରାମ ଦେ । ୪ ଦିନିଆ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ସ୍ବତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି ବାଲେଶ୍ବର ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଆର୍ଥିକ ନେଣଦେଣ ସମ୍ପର୍କରେ ତଦନ୍ତ କରାଯାଉଛି ।

ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ଦେବାକୁ କେତେ ଟଙ୍କା ନେଇଛି ବାବୁରାମ ? ଆକାଉଣ୍ଟକୁ ଆସୁଥିଲା କି ବିଦେଶୀ ଅର୍ଥ ? ଆର୍ଥିକ କାରବାରର ଯାଞ୍ଚ ପାଇଁ ବ୍ୟାଙ୍କକୁ ତଥ୍ୟ ମାଗିଛି ପୋଲିସ । ଅଭିଯୁକ୍ତର ଦୁଇଟି ବ୍ୟାଙ୍କରେ ଆକାଉଣ୍ଟ ଥିବାବେଳେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ଟ୍ରାଞ୍ଜାକ୍ସନ ସମ୍ପର୍କରେ ତଥ୍ୟ ଦେବାକୁ ବ୍ୟାଙ୍କକୁ କୁହାଯାଇଛି ।

ଅନ୍ୟପଟେ ଅଭିଯୁକ୍ତର ପରିବାର ନାଁରେ ରହିଥିବା ସମ୍ପତ୍ତି ସମ୍ପର୍କରେ ସୂଚନା ଦେବାକୁ ଜଳେଶ୍ବର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ କାରବାରର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଫାଇନାନସିଆଲ ଇନଭେଷ୍ଟିଗେସନ ୟୁନିଟ ଅଫ ଇଣ୍ଡିଆକୁ ଅନୁରୋଧ କରାଯାଇଛି ।

ହନିଟ୍ରାପର ଶିକାର ହୋଇ ବାବୁରାମ ଚାନ୍ଦିପୁରରୁ ରାୱଲପିଣ୍ଡିକୁ ପଠାଇଥିଲେ କ୍ଷେପଣାସ୍ତ୍ର ସମ୍ପର୍କୀତ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେ କିଛି ଭିଡିଓ, ଫଟୋ ଓ ତଥ୍ୟ ପଠାଇଥିବା ପୋଲିସ ପ୍ରମାଣ ପାଇଛି ।