ସାମ୍ୱାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତିକୁ ସ୍ୱାଗତ କଲେ ରାଜ୍ୟପାଳ

1 min read

ଭୁବନେଶ୍ୱର: ରାଜ୍ୟସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ମହାମହିମ ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ । ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସମ୍ମାନ ଜଣାଇଲେ ଗଣେଶୀ ଲାଲ । ଜନସାଧାରଣଙ୍କୁ ସଚେତନ କରିବାରେ ସାମ୍ବାଦିକଙ୍କ ଭୂମିକା ଖୁବ ରହିଛି । ଏପରି କୋଭିଡ ସମୟରେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚାଉଛନ୍ତି ସାମ୍ବାଦିକମାନେ । ତେଣୁ ରାଜ୍ୟସରକାରଙ୍କ ଏ ନିଷ୍ପତ୍ତି ଖୁବ ସ୍ବାଗତଯୋଗ୍ୟ ବୋଲି ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

ଗତ କିଛି ଦିନ ପୂର୍ବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ମାନ୍ୟତା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବା ସହ କହିଛନ୍ତି- ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ପ୍ରସାରଣ କରି ଲୋକଙ୍କୁ ସଚେତନ କରୁଛନ୍ତି । ମହାମାରୀ କୋଭିଡ୍ ସମୟରେ ଲୋକଙ୍କ ନିକଟରେ ପ୍ରତିଟି ଖବର ସମୟରେ ପହଞ୍ଚାଉଛନ୍ତି ସାମ୍ବାଦିକ । କୋଭିଡ୍ ବିରୋଧୀ ଯୁଦ୍ଧରେ ସାମ୍ବାଦିକ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ।

କୋଭିଡ୍ ସମୟରେ କାର୍ଯ୍ୟରତ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ୱାଗତ କରିଛନ୍ତି । ଏହା ସାମ୍ବାଦିକମାନଙ୍କୁ ବିଶେଷ ଭାବେ ସହାୟକ ହେବ । ସାମ୍ବାଦିକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ଦୃଢ଼ ସହଯୋଗ ଥିବା ଟ୍ୱିଟ୍ କରିଛନ୍ତି ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ସାମ୍ବାଦିକମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

Leave a Reply