spot_img

Latest Posts

ଲକଡାଉନ୍ : ରାଜ୍ୟଙ୍କୁ ଗାଇଡଲାଇନ୍ ମନେରଖିବାକୁ କହିଲା କେନ୍ଦ୍ର,କଟକଣା କମ କରିପାରିବେନି

ନୂଆଦିଲ୍ଲୀ: ଲକଡାଉନ୍ ୪.୦ ରେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅଧିକ ଅଧିକାର ଦେଇଛି ସତ କିନ୍ତୁ ରାଜ୍ୟ ମନଇଛା ନିଷ୍ପତ୍ତି ନେଇ ପାରିବେ ନାହିଁ । ରାଜ୍ୟ ସରକାର ଏକ ସୀମା ଭିତରେ ହିଁ ନିଷ୍ପତ୍ତି ନେଇ ପାରିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ଏନେଇ ପତ୍ର ଲେଖିଛି । ପତ୍ରରେ ରାଜ୍ୟଙ୍କୁ କେନ୍ଦ୍ରର ଗାଇଡଲାଇନ୍ କଥା ମନେ ପକାଇ ଦିଆଯାଇଛି । ଲକଡାଉନର ରିହାତି ଦିଆଯାଇଛି ସତ କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡଲାଇନ୍ସକୁ ଏଡାଇଯାଇ ରାଜ୍ୟ ସରକାର ପ୍ରତିବନ୍ଧ କମ କରିପାରିବେ ନାହିଁ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ରବିବାର ଦିନ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନକୁ ବଢାଇ ଦେଇଛନ୍ତି । ଲକଡାଉନ୍ ୪.୦ରେ କେନ୍ଦ୍ର ରାଜ୍ୟ ସରକାରଙ୍କ ସ୍ଥାନୀୟସ୍ତରରେ କେଉଁଭଳି ରିହାତି ଦିଆଯାଇ ପାରିବ ସେନେଇ ନିର୍ଣ୍ଣୟ ନେବାକୁ ଅଧିକାର ଦେଇଛି । ରାଜ୍ୟ ସରକାର ନିଜ ହିସାବରେ ଦୋକାନ ଖୋଲିବା ସହ ଅନ୍ୟ ଗତିବିଧି ଉପରେ ନିର୍ଣ୍ଣୟ ନେଇ ପାରିବେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ଦ୍ୱାରା ଜାରି ଗାଇଡଲାଇନର ବିରୋଧାଚରଣ କରି କୌଣସି ପ୍ରତିବନ୍ଧକ ହଟାଇ ପାରିବେ ନାହିଁ । ଅର୍ଥାତ ରାଜ୍ୟଙ୍କୁ କେନ୍ଦ୍ର ଗାଇଡଲାଇନ୍ ମାନିବାକୁ ପଡିବ ।

କେନ୍ଦ୍ର ଗୃହ ସଚିବ ଏହି ସମ୍ବନ୍ଧରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି ।ଏହି ପତ୍ରରେ କୁହାଯାଇଛି ଯେ, ଲକଡାଉନ୍ ପ୍ରତିବନ୍ଧକରେ ବ୍ୟାପକ ରିହାତି ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ପ୍ରେଦେଶ ସ୍ୱରାଷ୍ଟ୍ରମ ମନ୍ତ୍ରଣାଳୟର ଗାଇଡଲାଇନ୍ କ୍ରମରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ପାରିବେ ନାହିଁ କିମ୍ବା କମ କରିପାରିବେ ନାହିଁ । ଏହାସହ ଲେଖାଯାଇଛି ଯେ, ରାଜ୍ୟ ଚାହିଁଲେ ଅଲଗା କିଛି ପ୍ରତିବନ୍ଧକ ଲାଗୁ କରିପାରିବେ କିନ୍ତୁ ପ୍ରତିବନ୍ଧକକୁ କମ କରିପାରିବେ ନାହିଁ ।

ନୂଆ ଗାଇଡଲାଇନ୍ କଣ କହୁଛି ?

ଲକଡାଉନ୍ ୪.୦ରର ଘୋଷଣା କରି କେନ୍ଦ୍ର ରାଜ୍ୟଙ୍କୁ ଆଦେଶ ଦେଇଛି ଯେ, ସଂକ୍ରମଣ ସ୍ଥିତିକୁ ଦେଖି ରାଜ୍ୟ ଜୋନ୍ ନିର୍ଦ୍ଧାରଣ କରିପାରିବେ । ଦୋକାନ କେମିତି ଖୋଲିବ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପରିବହନ ବ୍ୟବସ୍ଥା କେମିତି କାମ କରିବ ତା’ର ନିଷ୍ପତ୍ତି ରାଜ୍ୟ ନେବେ । କିନ୍ତୁ କେନ୍ଦ୍ର ସରକାର ସିନେମା ହଲ,ମଲ, ଧାର୍ମିକ ଗତିବିଧିଠାରୁ ଆରମ୍ଭ କରି ସ୍କୁଲ କଲେଜ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଯାହା ଉପରେ କେନ୍ଦ୍ର ପ୍ରତିବନ୍ଧକ ଲାଗୁ କରିଛି ତାହା ଉପରେ ରାଜ୍ୟ କୌଣସି ରିହାତି ଦେଇ ପାରିବ ନାହିଁ ।

 

Latest Posts

Don't Miss