‘କଂଗ୍ରେସ ଛାଡି ଟିଏମସି ଗଢିବା, କଣ ଦଳବଦଳ ନୁହେଁ ?’

1 min read

କୋଲକାତା: ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଶାଳ ସମାବେଶ । ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀଙ୍କୁ କଡା କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ । ମମତା ବାନାର୍ଜୀ କହୁଛନ୍ତି, ବିଜେପି ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । କିନ୍ତୁ ଖୋଦ ଦିଦି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ ଗଢିଛନ୍ତି, ଏହା କଣ ଦଳ ବଦଳ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଶାହ ।

ଅମିତ ଶାହ କହିଛନ୍ତି, ଆଜି ଅନେକ ଦଳର ନେତା ବିଜେପିରେ ସାମିଲ ହେଉଛନ୍ତି । ଜଣେ ସାଂସଦ, ୯ ବିଧାୟକ ଏବଂ ତମାମ ଜନପ୍ରତିନିଧି ବିଜେପିରେ ଯୋଗଦାନ କରିଛନ୍ତି । ଯାହା ପଶ୍ଚିମବଙ୍ଗ ପରିବର୍ତ୍ତନର ଏକ ବଡ ଆଭାଷ । ତେଣୁ ଆଗକୁ ଖୁବ ଶୀଘ୍ର ସମୟ ଆସୁଛି, ଟିଏମସିରେ କେବଳ ଦିଦି ଏକା ହୋଇ ରହିଯାଇଥିବେ । ଅସହିଷ୍ଣୁ ଟିଏମସିରେ ଅଣନିଶ୍ୱାସୀ ହୋଇପଡିଥିବା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ, କଂଗ୍ରେସ ଏବଂ ସିପିଏମ ପାର୍ଟି ଛାଡି ଦଳରେ ଅନେକ ନେତା ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଶାହ ।

ମା-ମାଟି-ମନୁଷର କଥା କହି ରାଜନୀତି କରୁଥିବା ଟିଏମସି ଏବେ ତୃଷ୍ଟିକରଣ, ହିଂସା ଏବଂ ଅରାଜକତା କରୁଛି । ବିଜେପିର ୩୦୦ କାର୍ଯ୍ୟକର୍ତ୍ତାଙ୍କୁ ହିଂସାତ୍ମକ ପ୍ରଥାରେ ମାରି ଦିଆଗଲାଣି । ବଙ୍ଗଲାରେ ନେତା, ମନ୍ତ୍ରୀଙ୍କୁ ଆକ୍ରମଣ କରାଯାଉଛି । ଆଗାମୀ ଦିନରେ ଯେତେ ଟିଏମସି ଯେତେ ଆକ୍ରମଣ କରିବ, ସେତେ ଆକ୍ରମଣାତ୍ମକ ଉପାୟରେ ବିଜେପି କାର୍ଯ୍ୟ କରିବ । ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ । କାର୍ଯ୍ୟକର୍ତ୍ତା ନିଜ ଜୀବନକୁ ବାଜି ଲଗାଇ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସମ୍ବୋଧନ ସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Leave a Reply