ଗାଡ଼ି ଓଭର ଟେକିଂରୁ ଚାଲିଗଲା ହୋମଗାର୍ଡଙ୍କ ଜୀବନ

ପାରାଦ୍ଵୀପ : ଆଇରନ ଗାଡି ଓଭରଟେକିଙ୍ଗରୁ ଚାଲିଗଲା ଜଣେ ହୋମଗାର୍ଡଙ୍କ ଜୀବନ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପାରାଦ୍ଵୀପ ଦୋଛକି ନିକଟରେ। ଗତକାଲି ବିଳମ୍ବିତ ରାତ୍ରିରେ ଦୋଛକି ନିକଟରେ ଡିୟୁଟିରେ ଥିବା ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ସହିତ ଆଉ ତିନିଜଣ ହୋମଗାର୍ଡ ରହିଥିଲେ। ଆଇରନ ଗାଡି ଗୁଡିକ ଧାଡିରେ ଯିବା ବଦଳରେ ଦୃତଗତିରେ ଡାହାଣ ପଟେ ଯିବା ଆସିବା କରୁଥିବାରୁ , ଏହାକୁ ରୋକିବା ପାଇଁ ଏମାନଙ୍କୁ ଡିୟୁଟି ଦିଆଯାଇଥିଲା।

ତେବେ ବିଳମ୍ବିତ ରାତ୍ରିରେ ଧାଡି ଭାଙ୍ଗି ଯାଉଥିବା ଗୋଟିଏ ଆଇରନ ଟ୍ରକକୁ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଅଟକାଉଥିବା ବେଳେ, ଆଇରନ ଟ୍ରକ ଟି ରାଜେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରକ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଓ ବାଲିଡିଆ ଗ୍ରାମବାସୀ ଦୋଛକି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ରାଜେନ୍ଦ୍ରଙ୍କ ସହିତ ଥିବା ଅନ୍ୟ ତିନିଜଣ ହୋମଗାର୍ଡ, ଟ୍ରକ, ଡ୍ରାଇଭର ଓ ଟ୍ରକ ମାଲିକକୁ ଡାକିବା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ।