କର୍ଫ୍ୟୁ ସମୟରେ ଚଳାଚଳ କରିପାରିବ ମାଲବାହୀ ଗାଡ଼ି: ସ୍ପଷ୍ଟ କଲା କେନ୍ଦ୍ର
ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ବିଭାଗ ସଚିବ ଅଜୟ ଭାଲ୍ଲାଙ୍କ ପତ୍ର । ଚିଠି ଲେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ନେଇ ଦେଖାଯାଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସଚିବ । ଦେଶରେ ଅନ୍ଲକ୍ ୧.୦ ଲାଗୁ ହେବା ଦିନଠୁ ରାତି ୯ଟାରୁ ସକାଳ ୫ ଯାଏଁ ଯାଆ ଆସ ଉପରେ କଟକଣା ଲାଗୁ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ହିଁ ଯାଇପାରିବେ ସାଧାରଣ ଜନତା । ତେବେ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ରାତି ୯ଟାରୁ ସକାଳ ୫ ମଧ୍ୟରେ ଜାତୀୟ ରାଜପଥରେ ମାଲବାହୀ ଟ୍ରକ ଚଳାଚଳ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏଭଳି ପରିପ୍ରେକ୍ଷୀରେ ଗାଇଡଲାଇନ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ଗୃହ ସଚିବ । ସେ ଚିଠିରେ ପ୍ରକାଶ କରିଛନ୍ତି ଯେ, ରାତି ୯ଟାରୁ ସକାଳ ୫ଟା ମଧ୍ୟରେ କେବଳ ସାଧାରଣ ଜନତାଙ୍କ ଯାଆ ଆସ ଉପରେ କଟକଣା ଲାଗୁ । କୌଣସି ଅତ୍ୟାବଶ୍ୟକୀୟ ସାମ୍ରଗୀ ବହନ କରୁଥିବା ଗାଡ଼ି, ମାଲବାହୀ ଗାଡ଼ି ତଥା ଖାଦ୍ୟ ସାମଗ୍ରୀର ପରିବହନ ଉପରେ କୌଣସି ରୋକ ନାହିଁ । ଏହି ସମୟରେ ଲୋଡ୍ ଏବଂ ଅନ୍ଲୋଡ୍ ମଧ୍ୟ ହୋଇପାରିବ ।